
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଧ୍ୟ ମଧ୍ୟରେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଅନେକ ଇରାନୀ ଡ୍ରୋନ୍ ଆକ୍ରମଣର ଟାର୍ଗେଟ୍ ହୋଇଛି। ୧୬ ମାର୍ଚ୍ଚରେ ହୋଇଥିବା ଏକ ଆକ୍ରମଣ ଫଳରେ ଏକ ଇନ୍ଧନ ଟାଙ୍କିରେ ନିଆଁ ଲାଗିଯାଇଥିଲା, ଯାହା ଫଳରେ ସମସ୍ତ ଉଡ଼ାଣ ଅସ୍ଥାୟୀ ଭାବରେ ବନ୍ଦ ହୋଇଯାଇଥିଲା। ନିଆଁ ଏବଂ ଘନ କଳା ଧୂଆଁ କିଲୋମିଟର ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିଲା।
ଏହି ପ୍ରସଙ୍ଗରେ, ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ସ୍ଥାନରେବିଶାଳ ନିଆଁ ଲାଗିଥିବାର ଦେଖିବାକୁ ମିଳିଛି। ଦାବି କରାଯାଉଛି ଯେ ଏହା ଇରାନୀ ଆକ୍ରମଣ ଯୋଗୁଁ ଦୁବାଇ ବିମାନବନ୍ଦରରେ ନିଆଁ ଲାଗିଥିବା ଦର୍ଶାଉଛି। ପୋଷ୍ଟର କ୍ୟାପସନରେ କୁହାଯାଇଛି, “ଦୁବାଇ ଏଆରପୋର୍ଟ ତୈଳ ଟାଙ୍କିରେ ଇରାନୀ ମିସାଇଲ ମାଡ“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୫ ଅଗଷ୍ଟ ୨୦୨୦ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। କ୍ୟାପ୍ସନରେ ଲେଖା ଯାଇଛି, “ୟୁଏଇର ଆଜମାନର ଏକ ଫଳ ଏବଂ ପନିପରିବା ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।”
ଅଧିକ ସର୍ଚ୍ଚ କରିବା ପରେ ଆମକୁ ୫ ଅଗଷ୍ଟ, ୨୦୨୦ ରେ ଏକ BBC ରିପୋର୍ଟ ମିଳିଲା ଯେଉଁଥିରେ କୁହା ଯାଇଛି ଯେ ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ମେଟ୍ରୋପଲିଟାନ୍ ଅଞ୍ଚଳର ଆଜମାନ ମାର୍କେଟରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା, ବ୍ୟାପକ କ୍ଷତି ହୋଇଥିଲା ଏବଂ ଅଗ୍ନିଶମ କର୍ମଚାରୀମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ଦୌଡ଼ି ଆସିଥିଲେ।

ଘଟଣାର ଅନ୍ୟ ଏକ ଭିଡିଓ ମଧ୍ୟ ଆମେ ୟୁଟ୍ଯୂବରେ ଅପ୍ଲୋଡ ହେଇଥିବା ପାଇଲୁ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ୨୦୨୦ ରେ ସଂଯୁକ୍ତ ଆରବ ଏମିରେଟସ୍ ର ଅଜମାନ ବଜାରର ଏକ ଅଗ୍ନିକାଣ୍ଡର ଘଟଣା। ଏହାର ମଧ୍ୟପ୍ରାଚ୍ୟ ଯୁଧ୍ୟ ସହିତ କୌଣସି ସମ୍ପର୍କ ନାହିଁ।

