
ଏକ ବଡ଼ ଅଞ୍ଚଳରେ ନିଆଁ ଏବଂ ଆକାଶରେ ଘନ ଧୂଆଁ ବ୍ୟାପିଥିବା ଏବଂ ଧ୍ଵଂସ ହେଇଥିବା ସ୍ଥାନରେ ଲୋକମାନେ ଗତି କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହା ବାଂଲାଦେଶରେ ଅବସ୍ଥିତ ଏକ ହିନ୍ଦୁ କଲୋନୀର ଦୃଶ୍ୟ ଅଟେ ଯାହାକୁ ସେଠିକାର ମୁସ୍ଲିମ ମାନେ ଜାଲି ଦେଇଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଘାନା ଦେଶର ଏକ ବଜାରରେ ହୋଇଥିବା ଅଗ୍ନିକାଣ୍ଡର ଭିଡିଓକୁ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଯନ୍ତ୍ରଣା ଦାବି ସହିତ ସେୟାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ଷେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ବାଂଲାଦେଶରେ ଆମ ହିନ୍ଦୁଙ୍କ ଘର କିପରି ଜାଲି ପୋଡ଼ି ଛାରକାର କରିଛନ୍ତି ଦେଖ ଆମ ଦେଶରେ ଥିବା ଦୋଗଲା ହିନ୍ଦୁ”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୨ ଜାନୁଆରୀ ୨୦୨୫ ଟୁଇଟ ହୋଇଥିବା ମିଳିଲା। ଭିଡିଓର ବର୍ଣ୍ଣନା ଏବଂ ଭଏସ୍ଓଭର ସୂଚାଇ ଦେଉଛି ଯେ ଏହା ପଶ୍ଚିମ ଆଫ୍ରିକାର ଏକ ଦେଶ ଘାନାର ଏକ ପୋଷାକ ବଜାର ଅଞ୍ଚଳ କାଣ୍ଟାମାଣ୍ଟୋର ଏକ ଅଗ୍ନିକାଣ୍ଡ ଦୁର୍ଘଟଣାର ଦୃଶ୍ୟ ଅଟେ।
ଉପରୋକ୍ତ ତଥ୍ୟକୁ ନଜର ରେ ରଖି ସର୍ଚ୍ଚ କରିବା ପରେ ଆମକୁ ଘାନା ନ୍ୟୁଜ୍ ଟିଭି ରେ ଭାଇରାଲ କ୍ଲିପ୍ ର ମୂଳ ଭିଡିଓ ମିଳିଲା। ବର୍ଣ୍ଣନା ଅଂଶରେ କୁହାଯାଇଛି, “ଗୁରୁବାର ସକାଳେ ଆକ୍ରାର କାଣ୍ଟାମାଣ୍ଟୋ ବଜାରରେ ଅଗ୍ନିକାଣ୍ଡ ଘଟି ବହୁତ କ୍ଷତି ହୋଇଛି। ପ୍ରାୟ ରାତି ୧:୦୦ ଟା ସମୟରେ ଅଗ୍ନିକାଣ୍ଡ ଘଟି ୧୦୦ ରୁ ଅଧିକ ଦୋକାନ ପୋଡ଼ି ଯାଇଛି।“
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୦୨ ଜାନୁଆରୀ ୨୦୨୫ ରେ କାଣ୍ଟାମାଣ୍ଟୋ ବଜାରରେ ଅଗ୍ନିକାଣ୍ଡ ଘଟିଥିଲା, ଯେଉଁଥିରେ ଶହ ଶହ ଷ୍ଟଲ ନଷ୍ଟ ହୋଇଯାଇଥିଲା ଏବଂ ଲକ୍ଷ ଲକ୍ଷ ଡଲାରର କ୍ଷତି ହୋଇଥିଲା।
ରିପୋର୍ଟ ଅନୁଯାୟୀ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ପରିବେଶଗତ ଗୋଷ୍ଠୀ ଗ୍ରୀନପିସ୍ ଆକଳନ କରିଛି ଯେ ଏହି ବଜାରରେ ଅତି କମରେ ୩୦,୦୦୦ ଲୋକ କାମ କରନ୍ତି ଯାହା ମଧ୍ୟରେ ଲକ୍ଷ ଲକ୍ଷ ପୁରୁଣା ପୋଷାକ ବ୍ୟାପାରୀ ରହିଛନ୍ତି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଲା। ଘାନା ଦେଶର ବଜାରରେ ହେଇଥିବା ଅଗ୍ନୋକାଣ୍ଡକୁ ବାଂଲାଦେଶରେ ହିନ୍ଦୁ ଶାହିର ଘଟଣା ଦାବି ସହିତ ସେୟାର କରା ଯାଉଛି।

Title:ଘାନା ଦେଶର ବଜାରରେ ହେଇଥିବା ଅଗ୍ନୋକାଣ୍ଡକୁ ବାଂଲାଦେଶରେ ହିନ୍ଦୁ ଶାହିର ଘଟଣା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False
