
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ସୁରକ୍ଷା କର୍ମୀ ବାଂଲାଦେଶୀ ପତାକା ବିକ୍ରୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରୁଛନ୍ତି। ଦାବି କରାଯାଉଛି ଯେ ଜଣେ ବିଏସଏଫ (ସୀମା ସୁରକ୍ଷା ବଳ) ଯବାନ ବାଂଲାଦେଶୀ ପତାକା ବିକ୍ରୟ କରୁଥିବା ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ବାଂଲାଦେଶରେ ଫୁଟବଲ୍ ଷ୍ଟାଡିୟମ ସାମନାରେ ପତାକା ବିକ୍ରୟ କରୁଥିବା ବିକ୍ରେତା କୁ ବାଂଲାଦେଶୀ ସେନା ମାଡ଼ ମାରୁଥିବା ଭିଡିଓକୁ ଭାରତର ଘଟଣା ଦାବି ସହିତ ସେୟାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ମୁଁ ହୃଦୟରୁ କୋଟି ନମନ କରୁଛି BSF ଯବାନ ଭାଇ ଙ୍କୁ। ଏମାନେ ଖାଇବେ ଭାରତ ର, ଗାଇବେ ବାଂଲାଦେଶ ର। ଏ ଦେଶଦ୍ରୋହୀ ଙ୍କୁ ଭାରତ ରୁ ତଡିଦିଆଯାଉ”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ଆମକୁ ଢାକା ପୋଷ୍ଟ ଏବଂ ନ୍ୟୁଜ୍୧ ଟିଭି ନାମକ ୟୁଟ୍ୟୁବ୍ ଚ୍ୟାନେଲ୍ ଦ୍ୱାରା ସେୟାର କରାଯାଇଥିଲା। କ୍ୟାପସନରେ ଲେଖାଥିଲା, “ଲାଠିଚାର୍ଜ ହୋଇଥିବା ପତାକା ବିକ୍ରେତାଙ୍କୁ ସେନା ୧ ଲକ୍ଷ ଟଙ୍କା ଉପହାର ଦେଇଛି।”
ଅଧିକ ସର୍ଚ୍ଚ କରିବା ପରେ ଜଣା ପଡ଼ିଲା ଯେ ଜୁନ୍ ୧୦ ତାରିଖରେ ଢାକାରେ ବାଂଲାଦେଶ ବନାମ ସିଙ୍ଗାପୁର ଫୁଟବଲ୍ ମ୍ୟାଚ୍ ସମୟରେ ଷ୍ଟାଡିୟମ ବାହାରେ ବହୁ ସଂଖ୍ୟକ ଦର୍ଶକ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଖରେ ଟିକେଟ୍ ନଥିଲା। ଗେଟ୍ ନମ୍ବର ୪ ସମ୍ମୁଖରେ କିଛି ଲୋକ ଟିକେଟ୍ ବିନା ପ୍ରବେଶ କରିବାକୁ ଚେଷ୍ଟା କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନା ଭିଡ଼ ଉପରେ ଲାଠିଚାର୍ଜ କରିଥିଲା। ବିଶୃଙ୍ଖଳା ସମୟରେ, ସେନାର ଜଣେ ସଦସ୍ୟ ଭୁଲବଶତଃ ଜଣେ ନିର୍ଦ୍ଦୋଷ ପତାକା ବିକ୍ରେତାଙ୍କ ଉପରେ ଲାଠିଚାର୍ଜ କରିଥିଲେ।
ଗୁଲିସ୍ତାନ ଆର୍ମି କ୍ୟାମ୍ପ କମାଣ୍ଡର ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଫଜାଲୁର ରହମାନ ଚୌଧୁରୀ କହିଛନ୍ତି, “ଏହି ଘଟଣାର ଗମ୍ଭୀରତାକୁ ବିଚାର କରି, ମୁଁ ଜୁନ୍ ୧୧ ତାରିଖରେ ପତାକା ବିକ୍ରେତାଙ୍କୁ ଭେଟି ଆନୁଷ୍ଠାନିକ ଭାବରେ ମୋର ସମବେଦନା ଜଣାଇଥିଲି। ଏହା ସହିତ, ସେହି ବ୍ୟକ୍ତିଙ୍କୁ ସହାନୁଭୂତି ସ୍ୱରୂପ ଏକ ଲକ୍ଷ ଟଙ୍କା ଦିଆଯାଇଥିଲା।”
ପୁରା ରିପୋର୍ଟ ଏଠାରେ ପଢି ପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ବାଂଲାଦେଶରେ ଫୁଟବଲ୍ ଷ୍ଟାଡିୟମ ସାମନାରେ ପତାକା ବିକ୍ରୟ କରୁଥିବା ବିକ୍ରେତା କୁ ବାଂଲାଦେଶୀ ସେନା ମାଡ଼ ମାରୁଥିବା ଭିଡିଓକୁ ଭାରତର ଘଟଣା ଦାବି ସହିତ ସେୟାର କରା ଯାଉଛି।

Title:ବାଂଲାଦେଶ ପତାକା ବିକ୍ରୟ କରିବାରୁ ମାଡ଼ ଖାଉଥିବା ବ୍ୟକ୍ତିଙ୍କ ଭିଡିଓ ଭାରତର ନୁହେଁ।
Fact Check By: Siddharth SahuResult: False
