ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଓଡ଼ିଶାରେ ଉତ୍ପାଦିତ ବାଲାଜି କମ୍ପାନୀର ଗୋଟିଏ ଉତ୍ପାଦନର ଫୋଟୋ ଅଛି ଯେଉଁଥିରେ HACCP ର ଲୋଗୋ ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ବାଲାଜି କମ୍ପାନୀ ନିଜ ଉତ୍ପାଦନରେ ହଲାଲ ସାର୍ଟିଫିକେଟ୍ ଲୋଗୋ ସହିତ ମାର୍କେଟ୍ ରେ ଉତ୍ପାଦନ ଗୁଡ଼ିକ ବିକୁଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। HACCP ଲୋଗୋ ହଲାଲ ସାର୍ଟିଫାଏଡ୍ ଉତ୍ପାଦନର ପ୍ରମାଣ ନୁହେଁ। HACCP ଏବଂ ହଲାଲ ଦୁଇଟି ସମାନ ନୁହେଁ, ଭିନ୍ନ ଅଟେ।

କ'ଣ ଦାବି କରା ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି, "ଦେଖନ୍ତୁ ଆଜ୍ଞା ହଲାଲ୍ ପ୍ରଡକ୍ଟ । HACCP CERTIFIED କୁ ଆପଣ ମାନେ ସମସ୍ତେ ଗୁଗୁଲ୍ ରେ ସର୍ଚ୍ଚ କରନ୍ତୁ । ସମ୍ପୂର୍ଣ୍ଣ ତଥ୍ୟ ଜାଣିପାରିବେ । ହିନ୍ଦୁ ମାନେ ହଲାଲ୍ ପ୍ରଡକ୍ଟ କିଣିବା ମାନେ ନିଜ ବିନାଶ କୁ ନିମନ୍ତ୍ରଣ କରିବା । ଆପଣ ମାନେ ଯେଉଁ ହଲାଲ୍ ପ୍ରଡକ୍ଟ କିଣୁଛନ୍ତି ତାର କିଛି ଅଂଶ ର ପଇସା ବିଧର୍ମୀ ଙ୍କ ପାଖକୁ ଯାଏ , ଏବଂ ସେହି ଟଙ୍କା କୁ ସେ ହିନ୍ଦୁ ସନାତନ ଧର୍ମ , ସଂସ୍କୃତି କୁ ଧ୍ବଂସ କରି ଭାରତ କୁ ପୂର୍ଣ୍ଣ ଭାବରେ ଇସଲାମ୍ ରେ ପରିଣତ କରିବା ସହିତ ଦେଶ ବିରୋଧୀ କାର୍ଯ୍ୟ , ଲଭ୍ ଜିହାଦ୍ , ଲ୍ୟାଣ୍ଡ୍ ଜିହାଦ୍ , ଗଜବା ୟେ ହିନ୍ଦ୍ ରେ ଖର୍ଚ୍ଚ କରନ୍ତି । ତେଣୁ ଆପଣ ମାନେ ଥରେ ଚିନ୍ତା କରନ୍ତୁ ହଲାଲ୍ ପ୍ରଡକ୍ଟ କିଣି ଆମେ କେତେ ବଡ଼ ଭୁଲ୍ କରୁଛେ । ଆପଣ ସମସ୍ତ ଙ୍କୁ ଅନୁରୋଧ ନିଜେ ସତର୍କ ହେବା ସହିତ ନିଜ ଗାଁ ରେ ମଧ୍ୟ ସଚେତନ କରାନ୍ତୁ , ଏବଂ ହଲାଲ୍ ପ୍ରଡକ୍ଟ ସାମଗ୍ରୀ କୁ ବୟେକଟ୍ କରନ୍ତୁ ।"

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଏହି ଉତ୍ପାଦନର ନାମ କ'ଣ? ଏହା ଜାଣିବା ପାଇଁ ଆମେ ପ୍ୟାକେଟ୍ ରେ ଥିବା ବାରକୋଡ୍ ନମ୍ବରକୁ ଗୁଗୁଲରେ ସର୍ଚ୍ଚ କରିଲୁ।

ଫଳାଫଳରେ ଆମକୁ ସମାନ ବାରକୋଡର ଏକ ସ୍ପଷ୍ଟ ଫୋଟୋ ମିଳିଲା।

ଉପରୋକ୍ତ ବାରକୋଡକୁ ସ୍କାନ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଉତ୍ପାଦନର ନାମ ହେଉଛି ଉନରାତି। ଏହି ୱେବସାଇଟରେ ଆପଣ ମାନେ ସମାନ ଉତ୍ପାଦନର ପ୍ଯାକେଟ ଦେଖି ପାରିବେ।

ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ବାରକୋଡ୍ ଦ୍ଵାରା ମିଳିଥିବା ଉତ୍ପାଦନର ଫୋଟୋର ତୁଳନା ଦେଖି ପାରିବେ।

ଆମେ ଜାଣିବାକୁ ପାଇଲୁ ଯେ ଦୁଇଟି ଫୋଟୋରେ HACCP ଲେଖା ଯାଇଛି। ଆମେ କୌଣସି ପ୍ଯାକେଟରେ ହଲାଲ ଲୋଗୋ ଥିବା ଦେଖିବାକୁ ପାଇଲୁ ନାହିଁ।

HACCP କ'ଣ?

HACCP (ହାଜାର୍ଡ ଆନାଲିସିସ୍ କ୍ରଟିକାଲ୍ କଣ୍ଟ୍ରୋଲ୍ ପଏଣ୍ଟ) ହେଉଛି ସର୍ବଭାରତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଖାଦ୍ୟ ନିରାପତ୍ତା ପରିଚାଳନା ପ୍ରଣାଳୀ ଯାହା ଖାଦ୍ୟ ଉତ୍ପାଦନ ପ୍ରକ୍ରିୟାରେ ଥିବା ବିପଦକୁ ଚିହ୍ନଟ, ମୂଲ୍ୟାଙ୍କନ ଏବଂ ନିୟନ୍ତ୍ରଣ କରିଥାଏ। ସିଷ୍ଟମରେ ସାତୋଟି ନୀତି ଅନ୍ତର୍ଭୁକ୍ତ: ଏକ ବିପଦ ବିଶ୍ଳେଷଣ କରିବା, ଜଟିଳ ନିୟନ୍ତ୍ରଣ ପଏଣ୍ଟ ଚିହ୍ନଟ କରିବା, ଜଟିଳ ସୀମା ପ୍ରତିଷ୍ଠା, ମନିଟରିଂ ପ୍ରଣାଳୀ, ସଂଶୋଧନ କାର୍ଯ୍ୟ, ଯାଞ୍ଚ ପ୍ରକ୍ରିୟା, ଏବଂ ରେକର୍ଡ ରଖିବା ଏବଂ ଡକ୍ୟୁମେଣ୍ଟେସନ୍

HACCP ର ପ୍ରାଥମିକ ଦିନ 1960 ଦଶକରେ ପିଲ୍ସବିରୀ ଏବଂ ନାସା ମଧ୍ୟରେ ଏକ ସହଯୋଗରୁ ଆରମ୍ଭ ହୋଇଥିଲା। ମହାକାଶଚାରୀମାନଙ୍କୁ ମହାକାଶରେ ଖାଦ୍ୟ ଦେବା ପାଇଁ ପାଥୋଜେନମୁକ୍ତ ଖାଦ୍ୟ ଯାହା ଅଧିକ ସମୟ ବିନା ନଷ୍ଟ ହେଇ ରହିବା ତାହା ନିଶ୍ଚିତ କରିବା ପାଇଁ HACCP ଆରମ୍ଭ ହୋଇଥିଲା।

FDA ଅନୁଯାୟୀ, HACCP ହେଉଛି ଏକ ପରିଚାଳନା ପ୍ରଣାଳୀ ଯେଉଁଥିରେ କଞ୍ଚାମାଲ ଉତ୍ପାଦନ, କ୍ରୟ ଏବଂ ପରିଚାଳନା ଠାରୁ ଆରମ୍ଭ କରି ପ୍ରସ୍ତୁତ ଉତ୍ପାଦର ଉତ୍ପାଦନ, ବଣ୍ଟନ ଏବଂ ବ୍ୟବହାର ପର୍ଯ୍ୟନ୍ତ ଜୈବିକ, ରାସାୟନିକ ଏବଂ ଶାରୀରିକ ବିପଦର ବିଶ୍ଳେଷଣ ଏବଂ ନିୟନ୍ତ୍ରଣ ମାଧ୍ୟମରେ ଖାଦ୍ୟ ନିରାପତ୍ତାକୁ ସମାଧାନ କରାଯାଇଥାଏ।

ହଲାଲ କ'ଣ?

ହଲାଲ ହେଉଛି ଏକ ଆରବୀ ଶବ୍ଦ ଯାହାର ଅର୍ଥ ହେଉଛି “ଆଇନଗତ କିମ୍ବା ଅନୁମତିପ୍ରାପ୍ତ”। ଏହା ଏକ ଶବ୍ଦ ଯାହା ଇସଲାମ ଧର୍ମରେ ହରାମ ଶବ୍ଦର ବିପରୀତରେ ବ୍ୟବହୃତ ହୁଏ (ଯାହାର ଅର୍ଥ “ବେଆଇନ କିମ୍ବା ଅନୁମତିପ୍ରାପ୍ତ ନୁହେଁ”)। ଏହି ସର୍ତ୍ତାବଳୀ ସୂଚାଇଥାଏ ଯେ ଯେଉଁମାନେ ଇସଲାମ (ମୁସଲମାନ) ଅଭ୍ୟାସ କରନ୍ତି ସେମାନଙ୍କ ପାଇଁ କେଉଁ ଜୀବନ ଅଭ୍ୟାସ ଅନୁମତିପ୍ରାପ୍ତ କିମ୍ବା ଅନୁମତିପ୍ରାପ୍ତ ନୁହେଁ। ହଲାଲ କେବଳ ଇସଲାମ ଖାଦ୍ୟକୁ ବୁଝାଏ ନାହିଁ, ଏହା ବିଭିନ୍ନ ଉତ୍ପାଦ ସହିତ ମଧ୍ୟ ଜଡ଼ିତ ଥାଏ।

ନିମ୍ନରେ ଆପଣ ମାନେ HACCP ଏବଂ ହଲାଲର ଲୋଗୋ ମଧ୍ୟରେ ପାର୍ଥକ୍ୟ ଦେଖି ପାରିବେ।

ସିଦ୍ଧାନ୍ତ:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଓଡ଼ିଶାରେ ବାଲାଜି କମ୍ପାନୀର ଉତ୍ପାଦର ପ୍ଯାକେଟରେ HACCP ଲୋଗୋ ଅଛି, ହଲାଲ ଲୋଗୋ ନୁହେଁ। HACCP ଏବଂ ହଲାଲ ଦୁଇଟି ଭିନ୍ନ ସଂସ୍ଥା।

Avatar

Title:HACCP ଲୋଗୋ ଥିବା ବାଲାଜି କମ୍ପାନୀ ଦ୍ଵାରା ନିର୍ମିତ ଏକ ଉତ୍ପାଦନ କୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu

Result: Misleading