
ଅଲମ୍ପିକ୍ ସୁନା ପଦକ ବିଜେତା ନୀରଜ ଚୋପଡ଼ା ଦେଶ ପାଇଁ ଆହୁରି ଏକ ଗୌରବ ଆଣିଛନ୍ତି। ନିକଟରେ ହେଇଥିବା ବିଶ୍ଵ ଆଥ୍ଲେଟିକ ପ୍ରତିଯୋଗୀତାରେ ସେ ଜାଭେଲିନ୍ ଥ୍ରୋ ପ୍ରତିଯୋକିତାରେ ଦ୍ଵିତୀୟ ସ୍ଥାନରେ ରହି ରୋପ୍ୟ ପଦକ ଜିତିଛନ୍ତି।
ଏହି ପ୍ରସଙ୍ଗରେ ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ନୀରଜ ଚୋପଡ଼ା ଏକ ପ୍ରତିଯୋଗୀତାରେ ଭାଗ ନେଇଛନ୍ତି। ଭିଡିଓ ସହିତ ଦାବି କରା ଯାଇଛି ଯେ ଏହି ଭିଡିଓଟି ତାଙ୍କ ବିଶ୍ଵ ଆଥ୍ଲେଟିକ ପ୍ରତିଯୋଗୀତାରେ ରୋପ୍ୟ ପଦକ ଜିତିଥିବା ସମୟର ଅଟେ।
କ’ଣ କୁହା ଯାଇଛି ଏହି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନ୍ତି ଯେ “ନିରଜ ଚୋପ୍ରା ପୁଣି ଦେଶ ପାଇଁ ଆଣିଲେ ଗୌରବ। ୱାର୍ଲଡ଼ ଆଥେଲେଟ ଚମ୍ପିୟାନସିପ ରୋପ୍ୟ ପଦକ ଜିତିଲେ।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଆମେ ଦେଖିଲୁ ଯେ ଭିଡିଓରେ ଅନେକ ସ୍ଥାନରେ ଟୋକିଓ ୨୦୨୦ ବୋଲି ଲେଖା ଯାଇଅଛି ଏବଂ ଅନେକ ସ୍ଥାନରେ ଅଲମ୍ପିକ ପ୍ରତିଯୋଗୀତାର ଚିହ୍ନ ମଧ୍ୟ ଅଛି।

ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ଦେଇ ସର୍ଚ୍ଚ କରିଲା ପରେ ଆମକୁ ସମାନ ଭିଡିଓ ଅଲମ୍ପିକ୍ସର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ୨୩ ସେପ୍ଟେମ୍ବର ୨୦୨୧ ରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ ୨୬.୧୬ ମିନିଟ ସମୟରୁ ନେଇ ୨୭.୧୦ ମିନିଟ ସମୟ ପର୍ଯ୍ୟନ୍ତ ଆପଣ ମାନେ ଭାଇରାଲ ଭିଡିଓର କ୍ଲିପ୍ ଦେଖି ପାରିବେ।
ଭିଡିଓର ବର୍ଣ୍ଣନାରେ କୁହା ଯାଇଛି ଯେ ଏହା ଟୋକିଓ ୨୦୨୦ ଅଲମ୍ପିକ୍ସ ପ୍ରତିଯୋଗୀତାରେ ନୀରଜ ଚୋପଡ଼ାଙ୍କ ସ୍ଵର୍ଣ୍ଣ ମୂହୁର୍ତ୍ତ ଅଟେ।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୱାର୍ଲ୍ଡ ଆଥ୍ଲେଟିକ୍ସର ଅଫିସିଆଲ ଟୁଇଟର ହେଣ୍ଡେଲରେ ନୀରଜ ଚୋପଡ଼ାଙ୍କ ଜାଭେଲିନ୍ ଥ୍ରୋ ସମୟର ଭିଡିଓ ପୋଷ୍ଟ ହେଇଥିବା ମିଳିଲା। ଏହି ଟୁଇଟରେ କୁହା ଯାଇଛି ଯେ ଗ୍ରେନେଡା ଦେଶର ଖେଳାଳି ଏଣ୍ଡର୍ସନ୍ ପିଟର୍ସ ୯୦.୫୪ ମିଟର ଜାଭେଲିନ ଫିଙ୍ଗି ଅଲମ୍ପିକ୍ସ ବିଜେତା ନୀରଜ ଚୋପଡ଼ାଙ୍କୁ ପରାସ୍ତ କରିଛନ୍ତି।
ଅଲମ୍ପିକ୍ସର ୱେବସାଇଟରେ ମଧ୍ୟ ଆମକୁ ବିଶ୍ଵ ଆଥ୍ଲେଟିକ୍ସ ପ୍ରତିଯୋକିତାର ଏହି ମୂହୁର୍ତ୍ତ ବିଷୟରେ ଏକ ଅନୁଛେଦ ପ୍ରକାଶିତ ହେଇଥିବା ମିଳିଲା। ୱେବସାଇଟରେ କୁହା ଯାଇଛି ଯେ ଅଲମ୍ପିକ୍ସ ଜାଭେଲିନ୍ ଥ୍ରୋ ବିଜେତା ନୀରଜ ଚୋପଡ଼ା ବିଶ୍ଵ ଆଥ୍ଲେଟିକ ପ୍ରତିଯୋଗୀତା ୨୦୨୨ ରେ ରୋପ୍ୟ ପଦକ ଜିତିଛନ୍ତି।
ୱେବସାଇଟ ଅନୁଯାୟୀ ନୀରଜ ଚୋପଡ଼ା କହିଛନ୍ତି ଯେ ତାଙ୍କ ୱାର୍ମଅପ୍ ଭଲ ହେଇନଥିଲା। ଥ୍ରୋ ସମୟରେ ତାଙ୍କ ଉରସନ୍ଧିରେ ସେ କିଛି ଅନୁଭବ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରତିଯୋଗୀତା ପରେ ସେ ଭଲ ଅନୁଭବ କରିଥିଲେ ଏବଂ ବ୍ୟକ୍ତିଗତ ସର୍ବୋତ୍ତମ ବିଷୟରେ ଚିନ୍ତା କରିଥିଲେ। ପ୍ରତ୍ଯେକ ଦିନ ଅଲଗା ଥାଏ ଏବଂ ତାହା ସହିତ କିଛି ଜଟିଳତା ମଧ୍ୟ ଥାଏ। ମୁଁ ଆଜି ମୋର ରୋପ୍ୟ ପଦକ ପାଇଁ ଖୁସି ଅଛି ବୋଲି ନୀରଜ ଚୋପଡ଼ା କହିଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଯଦିଓ ଏହା ସତ୍ୟ ଯେ ନୀରଜ ଚୋଡ଼ା ବିଶ୍ଵ ଆଥ୍ଲେଟିକ ପ୍ରତିଯୋଗୀତାରେ ରୋପ୍ୟ ପଦକ ଜିତିଛନ୍ତି, କିନ୍ତୁ ଭାଇରାଲ ଭିଡିଓର ଏହା ସହିତ କୌଣସି ସମ୍ବନ୍ଧ ନାହିଁ। ଭାଇରାଲ ଭିଡିଓଟି ଟୋକିଓ ଅଲମ୍ପିକ୍ସ ୨୦୨୦ ର ଭିଡିଓ ଅଟେ।

Title:କ’ଣ ଭାଇରାଲ ଭିଡିଓ ନୀରଜ ଚୋପଡ଼ାଙ୍କ ଦ୍ଵାରା ବିଶ୍ଵ ଆଥ୍ଲେଟିକ ପ୍ରତିଯୋଗୀତାରେ ରୋପ୍ୟ ପଦକ ଜିତିଥିବା ଦୃଶ୍ୟକୁ ଦର୍ଶାଉଛି?
Fact Check By: Siddharth SahuResult: Partly False
