
ପ୍ରବଳ ବର୍ଷା କାରଣରୁ ଦେଶରେ ବିଭିନ୍ନ ସ୍ଥାନରେ ବନ୍ୟା ସମସ୍ଯା ସୃଷ୍ଟି ହୋଇଛି। ନିକଟରେ ଗଣମାଧ୍ୟମରେ ବନ୍ୟା ପାଣିରେ କୁମ୍ଭୀର ଦେଖା ଯାଇଥିବାର ଅନେକ ସମ୍ବାଦ ଆସିଛି। ଗତ ମାସ ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଧ୍ୟ ଏକ ଆବାସିକ ସ୍ଥାନରେ କୁମ୍ଭୀରର ଆତଙ୍କ ଖବର ସାମନାକୁ ଆସିଛି।
ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ବନ୍ୟା ପାଣିରେ କୁମ୍ଭୀରକୁ ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଏହି ଫୋଟୋ ଓଡ଼ିଶାର ଧାମନଗର ବ୍ଲକର ଆନନ୍ଦପୁର ଅଞ୍ଚଳର ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନ ପରେ ଜଣା ପଡିଛି ଯେ ଏହା ୨୦୧୩ ମସିହାର ଅଷ୍ଟ୍ରେଲିଆ ଦେଶର ଫୋଟୋ ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଫୋଟୋ ଧାମନଗର ବ୍ଲକର ଆନନ୍ଦପୁରର ପଞ୍ଚାଯତ ପୋଷ୍ଟ ଅଫିସ୍ ନିକଟ ବୈତରଣୀ ନଦୀ ଘାଟର ଘଟଣା ଅଟେ। ଏହି ଅଞ୍ଚଳରେ କୁମ୍ଭୀରଟିକୁ ଏକ ତଳିଆ ଅଞ୍ଚଳକୁ ଯାଉଥିବା ଦେଖିବାକୁ ମିଳିଛି। ବନ୍ୟା ପରିସ୍ଥିତି ସାଙ୍ଗକୁ ଅଞ୍ଚଳରେ କୁମ୍ଭୀରର ଆତଙ୍କ ବୋଲି କୁହା ଯାଉଛି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୫ ଅଗଷ୍ଟ ୨୦୧୩ ମସିହାରେ ଏନବିସି ନ୍ୟୁଜର ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଏହି ଫୋଟୋ ଅଷ୍ଟ୍ରେଲିଆ ଦେଶର ଅଟେ।
ର୍ପୋର୍ଟ ଅନୁଯାୟୀ ଜଣେ ୨୪ ବର୍ଷୀୟ ଯୁବକ ନିଜ ସାଥି ସହିତ ଅଷ୍ଟ୍ରେଲିଆର ଡାରୱିନ ସହର ନିକଟରେ ମେରି ନଦୀରେ ପହଁରିବା ପାଇଁ ଯାଇଥିଲେ ଏବଂ ସେତେବେଳେ କୁମ୍ଭୀର ଆକ୍ରମଣ କରି ଜଣେ ଯୁବକଙ୍କୁ ପଣି ସ୍ଥଳକୁ ଟାଣି ନେଇଥିଲା। ସେଠାରେ ଉପସ୍ଥିତ ଲୋକମାନେ ଏହି ଦୃଶ୍ୟ ଦେଖିଥିଲେ ଏବଂ କହିଥିଲେ ଯେ କୁମ୍ଭୀର କିଛି ସମୟ ପର୍ଯ୍ୟନ୍ତ ତାଙ୍କ ଟାଣିଥିଲା ଏବଂ ଏହା ପରେ ସେହି ଯୁବକ ଅଦୃଶ୍ୟ ହୋଇଯାଇଥିଲେ।
ସ୍ଥାନୀୟ ପୋଲିସ ଅଧିକାରୀ ମାନେ କହିଛନ୍ତି ଯେ ନିଖୋଜ ହୋଇଥିବା ଉବକଙ୍କ ଶରୀରକୁ ଖୋଜିବା ଆମୟରେ ଉଦ୍ଧାରକାରୀଙ୍କ ଉପରେ ମଧ୍ୟ କୁମ୍ଭୀର ମାନେ ଆକ୍ରମଣ କରିଥିଲେ ଯାହା ଜବାବରେ ଅଧିକାରୀ ମାନେ ଅନେକ କୁମ୍ଭୀରର ହତ୍ୟା ମଧ୍ୟ କରିଥିଲେ।

୨୬ ଅଗଷ୍ଟ ୨୦୧୩ ଡେଲି ଷ୍ଟାର ୱେବସାଇଟ ରିପୋର୍ଟ ଅନୁଯାୟୀ ସୀନ୍ କୋଲ୍ ନାମକ ୨୬ ବର୍ଷୀୟ ଯୁବକଙ୍କୁ ଗୋଟିଏ କୁମ୍ଭୀର ଆକ୍ରମଣ କରିଥିଲା ଯାହା ଫଳରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଯୁବକ ଜନ୍ମଦିନ ପାଳନ କରିବା ପାଇଁ ନଦୀରେ ପହଁରିବା ପାଇଁ ଯାଇଥିବା ସମୟରେ ଏହି ଘଟଣା ଘଟିଥିଲା। ଉଦ୍ଧାରକାରୀ ମାନେ ସେହି କୁମ୍ଭୀରକୁ ଗୁଳି କରି ହତ୍ୟା କରିବା କିଛି ଘଣ୍ଟା ସମୟ ପରେ ତାଙ୍କୁ କୁମ୍ଭୀର ଏବଂ ସେହି ଯୁବକଙ୍କ ଶରୀର ନଦୀରେ ଭାସୁଥିବା ମିଳିଥିଲା। ଅଧିକାରୀଙ୍କ କହିବା ଅନୁଯାୟୀ ଏହି ନଦୀରେ କୁମ୍ଭୀର ଥିବା ସାଧାରଣ କଥା ଏବଂ ଲୋକେ ଏହି ବିଷୟରେ ମଧ୍ୟ ଜାଣନ୍ତି। ଏପରି ନଦୀରେ ପହଁରିବା ଏକ ମୁର୍ଖାମି କଥା ବୋଲି ଅଧିକାରୀ ମାନେ କହିଛନ୍ତି।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଦାବି ସଂପୂର୍ଣ୍ଣ ଭାବରେ ମିଥ୍ୟା ଅଟେ। ଭାଇରାଲ ଫୋଟୋର ଓଡ଼ିଶା ସହିତ କୌଣସି ସମ୍ବନ୍ଧ ନାହିଁ। ୨୦୧୩ ମସିହାରେ ଅଷ୍ଟ୍ରେଲିଆରେ ଘଟିଥିବା ଏକ ଘଟଣାର ଫୋଟୋକୁ ଓଡ଼ିଶାର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ବନ୍ୟା ପାଣିରେ ଏହି କୁମ୍ଭୀରଟି ଓଡିଶାର ବୈତରଣୀ ନଦୀରେ ଦେଖିବାକୁ ମିଳିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
