କ’ଣ ନିକଟରେ ଜଣେ ଶିଖ୍ ନେତାଙ୍କ ହତ୍ୟା ପରେ କାନାଡା RSS କୁ ବ୍ୟାନ୍ କରିଛି? ଜାଣନ୍ତୁ ସତ୍ୟ। 

Misleading Political

ନିକଟରେ କାନାଡାରେ ଜଣେ ଶିଖ୍ ନେତାଙ୍କ ହତ୍ୟା ପରେ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରଭାବିତ ହୋଇଛି। ନାମୀ ଆତଙ୍କବାଦୀର ହତ୍ୟା କରିଥିବା ଅଭିଯୋଗ କରି କାନାଡା ଭାରତ ବିରୋଧରେ ଏକ ଚାର୍ଜସିଟ ଦାଖଲ କରିଛି। ଏହା ପରେ ଉଭୟ ଦେଶ ବିଦେଶ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କୁ ବରଖାସ୍ତ କରିଛି। ଏହି ପରିପ୍ରେକ୍ଷୀରେ, କିଛି ଲୋକ ଏକ ଭିଡିଓ ସେୟାର କରୁଛନ୍ତି ଯାହା RSS ସଂଗଠନକୁ କାନାଡାରେ ନିଷିଦ୍ଧ କରାଯାଇଥିବାର ଦାବି କରୁଛି। 

RSS ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଲେଖାଯାଇଥିବା ଶବ୍ଦଗୁଡ଼ିକ ହେଉଛି କାନାଡା RSS କୁ ତୁରନ୍ତ ପ୍ରଭାବ ସହିତ ନିଷେଧ କରୁଛି ଏବଂ ସେଠାରୁ ଏଜେଣ୍ଟମାନଙ୍କୁ ମଧ୍ୟ ହଟାଇ ଦିଆ ଯିବା ଦାବି କରିଛି। ଭିଡିଓରେ ସେ କୁହନ୍ତି, “WSO ସହିତ ମିଳିତ ଭାବେ ଆମେ ଆଜି ଆରଏସଏସ ସଂଗଠନର ତୁରନ୍ତ ନିଷେଧାଦେଶ ଏବଂ ଏହାର କାର୍ଯ୍ୟକର୍ତ୍ତାମାନଙ୍କୁ, ଅପରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ କାନାଡାରୁ ବହିଷ୍କାର କରିବାକୁ ଦାବି କରୁଛୁ।”

କିନ୍ତୁ ଆମେ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲୁ। କାନାଡା RSS କୁ ବ୍ୟାନ୍ କରିବାର କୌଣସି ନିଷ୍ପତ୍ତି ନେଇ ନାହିଁ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫେମର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୦ ସେପ୍ଟେମ୍ବରରେ NCCMTV ନାମକ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। 

ଭିଡିଓରେ କୁହା ଯାଇଛି ଯେ NCCM ଅଧ୍ୟକ୍ଷ ଷ୍ଟିଫେନ୍ ବ୍ରାଉନ୍ କାନାଡାରେ ଶିଖ୍ ଲୋକର ହତ୍ୟାକାଣ୍ଡର ପ୍ରତିକ୍ରିୟାରେ କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ଵାନ କରିଛନ୍ତି। ସେ ତାଙ୍କ ଭାଷଣରେ ଅନେକ ଦାବି କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଉଛି ଦେଶରେ RSS କୁ ନିଷିଦ୍ଧ କରିବା।

ପରବର୍ତ୍ତୀ ସନ୍ଧାନରେ ଆମେ INC (ଇମିଗ୍ରେସନ୍ ନ୍ୟୁଜ୍ କାନାଡା) ର ଏକ ପୁରୁଣା ଟ୍ୱିଟ୍ ପାଇଲୁ ଯେଉଁଥିରେ ଷ୍ଟିଫେନ୍ ବ୍ରାଉନ୍ ଗଣମାଧ୍ୟମକୁ ସମ୍ବୋଧିତ କରିବା ସହିତ ସମାନ ଦାବି କରୁଥିବା ଦେଖିବାକୁ ମିଲିଛନ୍ତି। 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ NCCM ର ଅର୍ଥ ହେଉଛି ନେସନାଲ୍ କାଉନ୍ସିଲ୍ ଫର୍ର କାନାଡିଆନ୍ ମୁସ୍ଲିମ (କାନାଡିୟ ମୁସଲମାନମାନଙ୍କ ପାଇଁ ଜାତୀୟ ପରିଷଦ)। ଆମେ ନେସନାଲ୍ କାଉନ୍ସିଲ୍ ଫର୍ର କାନାଡିଆନ୍ ମୁସ୍ଲିମର (NCCM) ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରି ଜାଣିଲୁ ଯେ ଏହା ହେଉଛି ଏକ ସ୍ଵାଧୀନ ଏବଂ ଅଣ-ଲାଭ ସଂଗଠନ ଯାହା କାନାଡାର ମୁସଲମାନ ସମ୍ପ୍ରଦାୟରୁ ଜନ୍ମ ହୋଇଛି। ସଂସ୍ଥାର ୱେବସାଇଟ୍ ସୂଚିତ କରେ ନାହିଁ ଯେ ଏହାର କାନାଡା ସରକାର ସହିତ କୌଣସି ଣସି ସମ୍ପର୍କ ଅଛି | ତେଣୁ, NCCM କାନାଡା ସରକାରଙ୍କ ସହ ଜଡିତ ବୋଲି ଅନ୍ତର୍ନିହିତ ଦାବି ସତ୍ୟ ନୁହେଁ। ଷ୍ଟିଫେନ୍ ବ୍ରାଉନ୍ ଜଣେ ସରକାରୀ ଅଧିକାରୀ ନୁହଁନ୍ତି। ତାଙ୍କର ମନ୍ତବ୍ୟ କାନାଡା ସରକାରଙ୍କ ମନ୍ତବ୍ୟ କିମ୍ବା ନିର୍ଦ୍ଦେଶନାମା ହୋଇପାରିବ ନାହିଁ।

ଏହା ପରେ ଆମେ ସର୍ଚ୍ଚ କରିଲୁ ଯେ କ’ଣ ପ୍ରକୃତରେ RSS କୁ କାନାଡାରେ ବ୍ୟାନ୍ କରା ଯାଇଛି? କିନ୍ତୁ ଆମକୁ କାନାଡା କିମ୍ବା କୌଣସି ଗଣମାଧ୍ୟମରେ ଏହି ବିଷୟ ନେଇ ଖବର ପ୍ରକାଶିତ ହେଇଥିବା ମିଳିଲା ନାହିଁ। କାନାଡାର କୂଟନୈତିକ ସମ୍ପର୍କ ପରିଚାଳନା କରୁଥିବା କାନାଡାର ସରକାରୀ ବିଭାଗ, ଗ୍ଲୋବାଲ୍ ଆଫେୟାର୍ସ, କାନାଡାର ୱେବସାଇଟ୍ ମଧ୍ୟ ଆମେ ଯାଞ୍ଚ କରିଲୁ। କାନାଡାରେ RSS ଉପରେ ନିଷେଧାଦେଶର କୌଣସି ଉଲ୍ଲେଖ ନାହିଁ। କାନାଡାରେ ଆରଏସଏସକୁ ନିଷେଧ କରାଯାଇଥିବା କୌଣସି ସୂଚନା ନାହିଁ।

ଅଲ୍ ଜଜିରାଙ୍କ ଦ୍ଵାରା ୧୯ ସେପ୍ଟେମ୍ବର, ୨୦୨୩ ରେ ପ୍ରକାଶିତ ଏକ ରିପୋର୍ଟ ମଧ୍ୟ ମିଳିଲା ଯେଉଁଥିରେ କାନାଡା ଶିଖ୍ ନେତାଙ୍କ ହତ୍ୟାର ତଦନ୍ତ କରୁଥିବା ସମୟରେ ଶିଖ୍ ଏବଂ ମୁସ୍ଲିମ ନେତା ମାନେ ଲୋକଙ୍କୁ ପ୍ରତିକ୍ରିୟା ଦେବା ପାଇଁ ଆହ୍ଵାନ ଦେଇଛନ୍ତି। ରିପୋର୍ଟରେ ପ୍ରକାଶିତ ହେଇଥିବା ଫୋଟୋରେ ଆପଣ ମାନେ ଷ୍ଟିଫେନ୍ ବ୍ରାଉନଙ୍କୁ ମଧ୍ୟ ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ କାନାଡାରେ RSS କୁ ବ୍ୟାନ୍ କରା ଯାଇଥିବା ଦାବି ବିଭ୍ରାନ୍ତକାରୀ ଅଟେ। ଭାଇରାଲ ଭିଡିଓରେ କାନାଡାର NCCM ସଂସ୍ଥାର ଅଧ୍ୟକ୍ଷ RSS କୁ ବ୍ୟାନ୍ କରିବା ପାଇଁ ଦାବି କରୁଛନ୍ତି। RSS କୁ ବ୍ୟାନ୍ କରିବା ନେଇ କାନାଡା ସରକାର କୌଣସି ନିଷ୍ପତ୍ତି ନେଇ ନାହିଁ। 

Avatar

Title:କ’ଣ ନିକଟରେ ଜଣେ ଶିଖ୍ ନେତାଙ୍କ ହତ୍ୟା ପରେ କାନାଡା RSS କୁ ବ୍ୟାନ୍ କରିଛି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *