
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କର ବିଶାଳ ଭିଡ଼ ଗୋଟିଏ ଫାଟକ ଭିତରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରିଥିବା ଉପଭୋକ୍ତାମାନେ ଦାବି କରିଛନ୍ତି ଯେ ଏହି ଭିଡ଼ରେ ଥିବା ଲୋକମାନେ ବାଂଲାଦେଶର ହିନ୍ଦୁ ଅଟନ୍ତି, ଯେଉଁମାନେ ସେମାନଙ୍କ ବିରୁଦ୍ଧରେ ହେଉଥିବା ଅତ୍ୟାଚାର ବିରୋଧରେ ଏକଜୁଟ ହୋଇ ବିରୋଧ କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଫିଲିପିନ୍ସ ଦେଶରେ ଖ୍ରୀଷ୍ଟିଆନ ମାନଙ୍କର ଏକ ଧାର୍ମିକ ଶୋଭାଯାତ୍ରାର ଭିଡିଓ ଅଟେ ଏବଂ ଏହାର ବାଂଲାଦେଶରେ ହିନ୍ଦୁଙ୍କ ଦ୍ଵାରା ବିରୋଧ ପ୍ରଦର୍ଶନ ସହିତ କୌଣସି ସମ୍ପର୍କ ନାହିଁ।
ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ ୧୯ ଏପ୍ରିଲ୍ ୨୦୨୪ ରେ ଗୋଟିଏ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଭିଡିଓ ଶୀତ କୁହ ଯାଇଛି ଯେ, “ବିପଦପୂର୍ଣ୍ଣ ଭକ୍ତି: ଲୋକମାନେ ଫିଲିପିନ୍ସର ଗୋଟିଏ ଚର୍ଚ୍ଚରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି।“
ଅଧିକ ସର୍ଚ୍ଚ କରିବା ପରେ ଆମକୁ ଫିଲିପିନ୍ସର ନ୍ୟୁଜ୍ ଏଜେନ୍ସି ‘ମନୀଲା ବୁଲେଟିନ୍’ ର ୟୁଟ୍ୟୁବ ଚ୍ୟାନାଲରେ ୯ ଜାନୁଆରୀ ୨୦୨୪ ରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହା ବ୍ଳାକ୍ ନାଜରୀନ୍ ନାମକ ଏକ ଧାର୍ମିକ ଶୋଭାଯାତ୍ରାର ଭିଡିଓ ଅଟେ। ଏହା ଫିଲିପିନ୍ସର ରାଜଧାନୀ ମନିଲାର କୁଇଆପୋ ଚର୍ଚ୍ଚର ଘଟଣା ଅଟେ। ଏହି ଭିଡିଓର ୧୯.୫୨ ସମୟ ଠାରୁ ଆମେ ଭାଇରାଲ କ୍ଲିପ୍ ଦେଖି ପାରିବା।
ବ୍ଲାକ୍ ନାଜରିନ୍ ହେଉଛି କ୍ରୁସ୍ ବହନ କରିଥିବା ଯୀଶୁ ଖ୍ରୀଷ୍ଟଙ୍କର ଏକ ଜୀବନ ଆକାରର, କଳା ରଙ୍ଗର ପ୍ରତିମୂର୍ତ୍ତି, ଯାହା ଫିଲିପାଇନ୍ସର ମାନିଲା ସ୍ଥିତ ବ୍ଲାକ୍ ନାଜରିନର ମାଇନୋର ବେସିଲିକାରେ ସ୍ଥାନିତ ହୋଇଛି। ଏହି ପ୍ରତିମୂର୍ତ୍ତିକୁ ଅନେକ ଫିଲିପାଇନ୍ କ୍ୟାଥୋଲିକ୍ ମାନେ ଚମତ୍କାର ଆରୋଗ୍ୟ ଶକ୍ତି ବୋଲି ବିଶ୍ଵାସ କରନ୍ତି। ପ୍ରତିବର୍ଷ ଜାନୁଆରୀ ୯ ରେ ଏହି ପ୍ରତିମୂର୍ତ୍ତି ସେଣ୍ଟ ନିକୋଲା ଡା ଟୋଲେଣ୍ଟିନୋଙ୍କ ଚର୍ଚ୍ଚରୁ କ୍ୱିଆପୋ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ନିଆଯାଏ। ଏହି ଶୋଭାଯାତ୍ରା ଫିଲିପାଇନ୍ସରେ କ୍ୟାଥୋଲିକ୍ ଧାର୍ମିକ ଭକ୍ତିର ସବୁଠାରୁ ବଡ ପ୍ରଦର୍ଶନ ଏବଂ ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକର୍ଷିତ କରିଥାଏ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ଫିଲିପିନ୍ସ ଦେଶରେ ଖ୍ରୀଷ୍ଟିଆନ ମାନଙ୍କର ଏକ ଧାର୍ମିକ ଶୋଭାଯାତ୍ରାର ଭିଡିଓ ଅଟେ ଏବଂ ଏହାର ବାଂଲାଦେଶରେ ହିନ୍ଦୁଙ୍କ ଦ୍ଵାରା ବିରୋଧ ପ୍ରଦର୍ଶନ ସହିତ କୌଣସି ସମ୍ପର୍କ ନାହିଁ।

Title:ଫିଲିପିନ୍ସରେ ଖ୍ରୀଷ୍ଟିଆନ ଧାର୍ମିକ ଶୋଭାଯାତ୍ରାକୁ ବାଂଲାଦେଶରେ ହିନ୍ଦୁ ମାନଙ୍କର ବିରୋଧ ପ୍ରଦର୍ଶନ ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False
