
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ସମୟର ଏକ ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଛୋଟ କ୍ଲିପରେ ସେ କହୁଛନ୍ତି ଯେ ଇସ୍ରାଏଲ ହେଉଛି ପିତୃଭୂମି ଏବଂ ଭାରତ ମାତୃଭୂମି। ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଭାରତ ହେଉଛି ମାଆ ଏବଂ ଇସ୍ରାଏଲ ହେଉଛି ବାପା – ସରେଣ୍ଡର ଜୀ ଦେଶବାସୀଙ୍କୁ ନୂଆ ବାପା ପାଇଁ ଅଭିନନ୍ଦନ”
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସୋସିଆଲ ମିଡିଆରେ ସେୟାର କରା ଯାଉଛି। ମୂଳ ଭିଡିଓରେ ପ୍ରଧାନମନ୍ତତ୍ରୀ ମୋଦୀ କହିଛନ୍ତି ଯେ ଇସ୍ରାଏଲରେ ରହୁଥିବା ଭାରତୀୟ ଯିହୁଦୀ ସମ୍ପ୍ରଦାୟ ଲୋକଙ୍କ ପାଇଁ ଇସ୍ରାଏଲ ହେଉଛି ପିତୃଭୂମି ଏବଂ ଭାରତ ହେଉଛି ମାତୃଭୂମି
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ୨୫ ଫେବ୍ରୁଆରି ୨୦୨୬ ରେ ANI ର ଇଂଷ୍ଟାଗ୍ରାମ ହେଣ୍ଡେଲରେ ଭାଇରାଲ କ୍ଲିପର ଏକ ଲମ୍ବା ସଂସ୍କରଣ ମିଳିଲା। ଏହି ଭିଡିଓରେ ନରେନ୍ଦ୍ର ମୋଦି ଇସ୍ରାଏଲରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଯିହୁଦୀ ସମ୍ପ୍ରଦାୟ ବିଷୟରେ କହିଥିଲେ। ସେ କହିଥିଲେ ଯେ ଇସ୍ରାଏଲରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଯିହୁଦୀ ସମ୍ପ୍ରଦାୟ ପାଇଁ ଇସ୍ରାଏଲ ହେଉଛି ସେମାନଙ୍କର ପିତୃଭୂମି ଏବଂ ଭାରତ ହେଉଛି ସେମାନଙ୍କର ମାତୃଭୂମି।
ଆମେ ଫେବୃଆରୀ ୨୫, ୨୦୨୬ରେ ନରେନ୍ଦ୍ର ମୋଦିଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଭାଷଣର ସମ୍ପୂର୍ଣ୍ଣ ସଂସ୍କରଣ ପାଇଲୁ। ଭାଇରାଲ୍ କ୍ଲିପ୍ଟି ଟାଇମଷ୍ଟାମ୍ପ ୧୪:୦୨ ରୁ ଦେଖିହେବ।
ଭିଡିଓରେ ସେ କହୁଛନ୍ତି, “୨୦ ଶତାବ୍ଦୀର ମଧ୍ୟଭାଗରେ ଅନେକ ଭାରତୀୟ ଯିହୁଦୀ ଇସ୍ରାଏଲକୁ ସ୍ଥାନାନ୍ତରିତ ହୋଇଥିଲେ। ବର୍ତ୍ତମାନ ଏଠାରେ ଏକ ସକ୍ରିୟ ଭାରତୀୟ ବଂଶୋଦ୍ଭବ ଯିହୁଦୀ ସମ୍ପ୍ରଦାୟ ବାସ କରନ୍ତି। ସେମାନେ ପ୍ରୟୋଗଶାଳା ଏବଂ ହସ୍ପିଟାଲ, ଶ୍ରେଣୀଗୃହ ଏବଂ ଯୁଦ୍ଧ କ୍ଷେତ୍ରରେ ଆଧୁନିକ ଇସ୍ରାଏଲ ନିର୍ମାଣରେ ଯୋଗଦାନ ଦେଇଛନ୍ତି। ସେମାନେ ଦୃଢ଼ ଭାବରେ ମାଣନ୍ତି ଯେ ଇସ୍ରାଏଲ ସେମାନଙ୍କର ପିତୃଭୂମି ଏବଂ ଭାରତ ସେମାନଙ୍କର ମାତୃଭୂମି। ଆମେ ସେମାନଙ୍କ ପାଇଁ ଗର୍ବିତ।”
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ କ୍ଲିପକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଏହି ଭିଡିଓରେ ପ୍ରଧାନମନ୍ତତ୍ରୀ ମୋଦୀ କହିଛନ୍ତି ଯେ ଇସ୍ରାଏଲରେ ରହୁଥିବା ଭାରତୀୟ ଯିହୁଦୀ ସମ୍ପ୍ରଦାୟ ଲୋକଙ୍କ ପାଇଁ ଇସ୍ରାଏଲ ହେଉଛି ପିତୃଭୂମି ଏବଂ ଭାରତ ହେଉଛି ମାତୃଭୂମି

