
ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀକୁ ନେଇ ଚାଲିଥିବା ଅଶାନ୍ତି ମଧ୍ୟରେ ବାଂଲାଦେଶରେ ଆଉ ଦୁଇଜଣ ହିନ୍ଦୁ ପୁରୋହିତଙ୍କୁ ଗିରଫ କରାଯାଇଛି ବୋଲି ଇସ୍କନ୍ କୋଲକାତା ମୁଖପାତ୍ର ରାଧରମନ୍ ଦାସ ଶନିବାର ଦାବି କରିଛନ୍ତି। ବାଂଲାଦେଶ ଏବଂ ଭାରତରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୂର୍ବତନ ଇସ୍କନ୍ ସଦସ୍ୟ ଚିନ୍ମୟ କୃଷ୍ଣ ଦାସଙ୍କ ମୁକ୍ତି ପାଇଁ ଲୋକମାନେ ଆହ୍ଵାନ ଦେଇଛନ୍ତି।
ଏହି ପ୍ରସଙ୍ଗରେ ଜଣେ ଇସ୍କନ୍ ପୁରୋହିତ କିଛି ମୁସ୍ଲିମ ବ୍ୟକ୍ତିଙ୍କୁ ଖାଦ୍ୟ ପରିବେଷଣ କରୁଥିବା ଫୋଟୋ ସୋସିଆଲ ମିଡିଆରେ ସେୟାର କରା ଯାଉଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଏହା ବାଂଲାଦେଶରେ ଇସ୍କନର ଫୋଟୋ ଅଟେ ଯେତେବେଳେ ସେଠାରେ ଆସିଥିବା ବନ୍ୟା ସମୟରେ ପୁରୋହିତ ମାନେ ଲୋକଙ୍କୁ ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରିଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ପଶ୍ଚିମବଙ୍ଗରେ ଜଣେ ଇସ୍କନ୍ ପୂଜାରୀ ମୁସଲମାନ ମାନଙ୍କୁ ଇଫତାର ଦିନ ଖାଦ୍ୟ ବଣ୍ଟନ କରୁଥିବା ପୁରୁଣା ଫୋଟୋ ଅଟେ। ଏହା ବାଂଲାଦେଶ ଇସ୍କନର ଫୋଟୋ ନୁହେଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଭୀଷଣ ବନ୍ୟା ବେଳେ ବାଂଲାଦେଶ ର ଇସ୍କନ ମନ୍ଦିର ର ପ୍ରମୂଖ ଯେଉଁ ଅସହାୟ ମୁସଲମାନ ମାନଙ୍କୁ ଖାଦ୍ୟ,ବସ୍ତ୍ର ବଣ୍ଟନ କରିଥିଲେ। ଆଜି ସେଇମାନେ ଇସ୍କନ ମନ୍ଦିରକୁ ଭାଙ୍ଗୁଛନ୍ତି”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ପଶ୍ଚିମବଙ୍ଗର ପ୍ରସିଦ୍ଧ ପତ୍ରିକା ଆନନ୍ଦ ବଜାରର ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ୨୩ ଜୁନ୍ ୨୦୧୮ ର ଏହି ରିପୋର୍ଟ ଅନୁଯାୟୀ, ମାୟାପୁର ଇସ୍କନର ଚାଂରୋଦୟା ମନ୍ଦିରରେ ଇମାମ ଏବଂ ସ୍ଥାନୀୟ ମସଜିଦର ଅନ୍ୟ ସଦସ୍ୟମାନଙ୍କ ସହ ଇଫତାର ଆୟୋଜନ କରା ଯାଇଥିଲା। ଅଭୟଚରଣ ଭକ୍ତିବେଦାନ୍ତ ସ୍ଵାମୀଙ୍କ ଦ୍ଵାରା ପ୍ରତିଷ୍ଠିତ ଇସ୍କନର ୧୫ ତମ ବାର୍ଷିକୀ ଅବସରରେ ଇସ୍କନ ପ୍ରଥମ ଇଫତାର ଆୟୋଜନ କରିଥିଲା।
ଏହା ପରେ ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଚନ୍ଦ୍ରୋଦୟା ମନ୍ଦିର ଏବଂ ମାୟାପୁର କେଉଁ ସ୍ଥାନରେ ଅବସ୍ଥିତ। ଗୁଗୁଲ ମ୍ୟାପ ସାହାଯ୍ୟତାରେ ସର୍ଚ୍ଚ କରିଲା ପରେ ଆମେ ଜାଣିଲୁ ଯେ ଏହି ମନ୍ଦିର ପଶ୍ଚିମବଙ୍ଗ ରାଜ୍ୟରେ ଅବସ୍ଥିତ। ତେଣୁ ଏହି ମନ୍ଦିର ବାଂଲାଦେଶର ହେଇଥବା ଦାବି ମିଥ୍ୟା ଅଟେ। ନିମ୍ନରେ ଆପଣ ମାନେ ଗୁଗୁଲ ମ୍ୟାପ ଲୋକେଶନ୍ ଦେଖି ପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଭାଇରାଲ ଫୋଟୋ ପଶ୍ଚିମବଙ୍ଗରେ ଥିବା ଇସ୍କନର ଅଟେ। ୧୫ ତମ ବାର୍ଷିକୀ ଅବସରରେ ଇସ୍କନ ପ୍ରଥମ ଇଫତାର ଆୟୋଜନ କରିଥିଲା ଏବଂ ସେଠିକାର ପୁରୋହିତ ମାନେ ମୁସ୍ଲିମ ବ୍ୟକ୍ତିଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ। ଏହା ବାଂଲାଦେଶର ଇସ୍କନ୍ ମନ୍ଦିର ଫୋଟୋ ନୁହେଁ।

Title:ପଶ୍ଚିମବଙ୍ଗରେ ଜଣେ ଇସ୍କନ୍ ପୂଜାରୀ ମୁସଲମାନ ମାନଙ୍କୁ ଖାଦ୍ୟ ପରିବେଷଣ କରୁଥିବା ପୁରୁଣା ଫୋଟୋକୁ ସମ୍ପ୍ରତ୍ତି ସମୟରେ ବାଂଲାଦେଶରେ ସାମ୍ପ୍ରଦାୟିକ ମାମଲା ପ୍ରସଙ୍ଗରେ ସେୟାର କରା ଯାଉଛି।
Fact Check By: Siddharth SahuResult: Misleading
