ପୁରୁଣା ଏବଂ ଅସମ୍ପର୍କିତ ଭିଡିଓକୁ ପଶ୍ଚିମବଙ୍ଗରେ SIR ବିରୁଦ୍ଧରେ ରାଲି ଦାବି ସହିତ ସେୟାର କରା ଯାଉଛି।

Communal Misleading

୨୭ ଅକ୍ଟୋବର, ୨୦୨୫ ରେ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଘୋଷଣା କରିଥିଲେ ଯେ ପଶ୍ଚିମବଙ୍ଗ ସମେତ ୧୨ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କରାଯିବ। SIR ହେଉଛି ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଏକ ପ୍ରକ୍ରିୟା ଯେଉଁଥିରେ ଭୋଟର ତାଲିକାର ଏକ ବ୍ୟାପକ ସମୀକ୍ଷା ଅନ୍ତର୍ଭୁକ୍ତ, ତାଲିକାର ସଠିକତା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ସ୍ତରରେ ଏକ ବିସ୍ତୃତ ଯାଞ୍ଚ ଅନ୍ତର୍ଭୁକ୍ତ। ପଶ୍ଚିମବଙ୍ଗରେ SIR ଘୋଷଣା ପରେ, ଭାରତ ବାହାରକୁ ସୀମା ପାର କରିବାକୁ ଚେଷ୍ଟା କରୁଥିବା ଅନେକ ଅବୈଧ ବାଂଲାଦେଶୀ ପ୍ରବାସୀଙ୍କୁ ଗିରଫ କରାଯାଇଥିଲା।

ଏହି ପ୍ରସଙ୍ଗରେ, ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଆମେ ରାସ୍ତାରେ ହାତରେ ବାଡ଼ି ଏବଂ ଝାଡୁ ଧରି ଲୋକ ଯାଉଥିବା ଦେଖିବାକୁ ମିଳିଛି। ପୋଷ୍ଟର କ୍ୟାପସନରେ କୁହାଯାଇଛି, “ଇଲେକ୍ସନ କମିଶନ ଏବେ କେବଳ SIR (Special Intensive Revision) ଅର୍ଥାତ୍ ଭୋଟରଲିଷ୍ଟ ର ବ୍ୟାପକ ନିରୀକ୍ଷଣ ଏବଂ ସମୀକ୍ଷା ହେବାର ଘୋଷଣା ମାତ୍ର ହୋଇଛି। ଏତିକିରେ ମମତା ବାନାର୍ଜୀ ଙ୍କ ପାଳିତ ରୋହିଜ୍ଞା ,ବଙ୍ଗଳାଦେଶୀ , ଉତ୍କଟ କଠୋରପନ୍ଥୀ ଧର୍ମନିରପେକ୍ଷ ବାଦି ଟିଏମସି ସମର୍ଥକ ମୁସଲମାନ ମାନେ ଦଙ୍ଗା ,ଲୁଟ-ତରାଜ କରିବା ପାଇଁ  ରାସ୍ତାକୁ ଆସି ଗଲେଣି। ଅନେକେ ଏହା ବିଶ୍ୱାସ କରନ୍ତି ,ଯାହା ଅମୂଳକ ନୁହେଁ , ମମତାଙ୍କ ସରକାର ରହି ଯଦି SIR  ହେବ, ତେବେ ଉଣା ଅଧିକେ ସବୁ ନିର୍ବାଚନ – କର୍ମୀ ମାନଙ୍କ ହତ୍ୟା ନିଶ୍ଚିନ୍ତ । SIR ପୂର୍ବରୁ ମମତା ସରକାରଙ୍କୁ ଯଦି ବିଦା କରା ନଯାଏ ଏବଂ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବା ଆଦେଶ ଦିଆ ନଗଲେ  ପଶ୍ଚିମବଙ୍ଗରେ SIR laagi କରିବା କାଠିକର ପାଠ ହୋଇଯିବ।

Facebook | Archive

ଆମ ଅନୁସନ୍ଧାନ: 

ଆମେ ଜାଣିଛୁ ଯେ ଇଲେକ୍ସନ କମିଶନ ଅକ୍ଟୋବର ୨୦୨୫ ରେ SIR ର ଘୋଷଣା କରିଥିଲା। ଏହା ପରେ ୪ ନଭେମ୍ବର ୨୦୨୫ ରେ ପଶ୍ଚିମବଙ୍ଗରେ SIR ଆରମ୍ଭ ହୋଇଥିଲା। 

ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୧୫ ସେପ୍ଟେମ୍ବର ୨୦୨୫ ରେ ଇଣ୍ଟର୍ନେଟରେ ପୋଷ୍ଟ ହେଇଥିବା ମିଳିଲା। 

ଆମକୁ ସମାନ ଭିଡିଓ ଜଣେ ବାଂଲାଦେଶୀ ୟୁଜର ର ଫେସବୁକରେ ୧୫ ସେପ୍ଟେମ୍ବରରେ ପୋଷ୍ଟ ହେଇଥିବା ମିଳିଲା। ପୋଷ୍ଟର କ୍ୟାପସନ ଅନୁସାରେ, ଏହି ଫୁଟେଜ୍ ବାଂଲାଦେଶର ଫରିଦପୁରରେ ହୋଇଥିବା ଏକ ପ୍ରତିବାଦର ଭିଡିଓ।

Archive

ଢାକା ଟ୍ରାଇବ୍ଯୁନ୍ ରିପୋର୍ଟ ଅନୁଯାୟୀ, ଫରିଦପୁରର ଭାଙ୍ଗା ଉପଜିଲାରେ, ନିର୍ବାଚନ କମିଶନଙ୍କ ଦ୍ୱାରା ସଂସଦୀୟ ନିର୍ବାଚନମଣ୍ଡଳୀ ସୀମାରେ ପରିବର୍ତ୍ତନ ପରେ ବାସିନ୍ଦାମାନେ ପାଞ୍ଚ ଦିନ ଧରି ରାଜପଥ ଏବଂ ରେଳପଥ ଅବରୋଧ କରିଥିଲେ। କମିଶନ ସମ୍ପ୍ରତି ଆଲଗି ଏବଂ ହମିର୍ଡି ୟୁନିଅନ ଗୁଡ଼ିକୁ ଫରିଦପୁର-୪ ରୁ ଫରିଦପୁର-୨ କୁ ସ୍ଥାନାନ୍ତର କରିଥିଲେ, ଯାହା ସ୍ଥାନୀୟ ଲୋକଙ୍କୁ କ୍ରୋଧିତ କରିଥିଲା। ବିକ୍ଷୋଭକାରୀମାନେ ଟାୟାର ଏବଂ କାଠ ଜାଳି ପ୍ରମୁଖ ରାସ୍ତା ଅବରୋଧ କରିଥିଲେ ଏବଂ ଏକ ଟ୍ରେନ୍ ଅଟକାଇ ଯାତ୍ରୀମାନଙ୍କୁ ଓହ୍ଲାଇବାକୁ ବାଧ୍ୟ କରିଥିଲେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ବାଂଲାଦେଶର ପୁରୁଣା ଏବଂ ଅସମ୍ପର୍କିତ ଭିଡିଓକୁ ପଶ୍ଚିମବଙ୍ଗରେ SIR ବିରୁଦ୍ଧରେ ରାଲି ଦାବି ସହିତ ସେୟାର କରା ଯାଉଛି।

Avatar

Title:ପୁରୁଣା ଏବଂ ଅସମ୍ପର୍କିତ ଭିଡିଓକୁ ପଶ୍ଚିମବଙ୍ଗରେ SIR ବିରୁଦ୍ଧରେ ରାଲି ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *