
ବର୍ତ୍ତମାନ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଯୋଗୁଁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। ଏହି ସମୟରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଭୁସୁଡି ପଡିଥିବା କୋଠା ସାମନାରେ ଜଣେ ବୃଦ୍ଧଙ୍କ ହାତରେ ତିନିଟି ରୁଟି ଦେଖିବାକୁ ମିଳିଛି। ଏହାକୁ ତୁର୍କୀରେ ସମ୍ପ୍ରତି ସମୟରେ ହୋଇଥିବା ଭୂକମ୍ପ ପର ଏକ ଫୋଟୋ ଦାବି ସହ ସେୟାର କରାଯାଇଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଯଦିଓ ଏହି ଫୋଟୋ ତୁର୍କୀ ଭୂମିକମ୍ପର ଅଟେ କିନ୍ତୁ ଏହା ୨୩ ବର୍ଷ ପୁରୁଣା ଫୋଟୋ ଅଟେ। ଏହାର ସମ୍ପ୍ରତ୍ତି ସମୟରେ ଘଟିଥିବା ଭୂମିକମ୍ପ ସହିତ କୌଣସି ସମ୍ବନ୍ଧ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ଯବହାରକାରୀ ମାନେ ଦାବି କରି କହିଛନ୍ତି, “ଏହି ଫୋଟୋ ୧୭ ମିନିଟ ପୂର୍ବରୁ ନେଟରୁ ଦେଖିବାକୁ ମିଳିଛି। ଜଣେ ଲୋକ ଯିଏ ୩୩ଟା କୋଠାର ମାଲିକ, ଜାଗା ଖୋଜୁଛି କୋଉଠି ନିଜେ ଲୁଚିଯିବ ଓ ନିଜେ ସଂଗ୍ରହ କରିଥିବା ପାଊଁରୁଟିକୁ ଲୁଚାଇଦେବ ନଚେତ ସମସ୍ତେ ଛଡେଇ ନେଉଛନ୍ତି। ଆଜି ତୁର୍କୀଠାରୁ ଜୀବନର କେଉଁ ଶିକ୍ଷା ମିଳୁଛି ଆପଣ ବିଚାର କରିବେ।”

ସମାନ ଫୋଟୋ ଗଣମାଧ୍ୟମରେ ମଧ୍ୟ ଦେଖିବାକୁ ମିଳିଛି।
ଆମ ଅନୁସନ୍ଧାନ:
ପୋଷ୍ଟ ସହିତ ଅଂଶୀଦାର ହୋଇଥିବା ଫଟୋକୁ ପ୍ରଥମେ ଆମେ ଗୁଗୁଲ୍ ରିଭର୍ସ ଇମେଜ୍ ମାଧ୍ୟମରେ ସର୍ଚ୍ଚ କରିଲୁ।ଫଳାଫଳରେ ଆମକୁ ସମାନ ଫୋଟୋ ହୁରିଏଟ୍ ଡେଲି ନ୍ୟୁଜ୍ ୱେବସାଇଟ ରେ ପ୍ରକାଶିତ ହେଇଥିବା ମିଳିଲା। ୧୩ ନଭେମ୍ବର ୨୦୨୦ ମସିହାରେ ପ୍ରକାଶିତ ହେଇଥିବା ଏହି ରିପୋର୍ଟ ଅନୁଯାୟୀ ଏହି ଫୋଟୋ ୧୯୯୯ ରେ ତୁର୍କୀର ଦୁଜ୍ସେ ଅଞ୍ଚଳରେ ହେଇଥିବା ଏକ ଭୂମିକମ୍ପ ସମୟର ଫୋଟୋ ଅଟେ।
ଉପରୋକ୍ତ ତଥ୍ୟକୁ ନଜରରେ ରଖି ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ଯବହାର କରି ୧୯୯୯ ରେ ତୁର୍କୀରେ ଆସିଥିବା ଭୂମିକମ୍ପ ଘଟଣା ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୧୪ ନଭେମ୍ବର ୧୯୯୯ ରେ ଏକ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, ସେହି ଭୂମିକମ୍ପରେ ୪୦୦ ରୁ ଅଧିକ ଲୋକେ ନିଜ ଜୀବନ ହରାଇଥିଲେ। ଫୋଟୋ ବିଷୟରେ କୁହା ଯାଇଛି ଯେ ଭୂମିକମ୍ପ ପରେ ଜଣେ ବୃଦ୍ଧ ଲୋକ ତୁର୍କୀର ଦୁଜ୍ସେ ରେ ଗୋଟିଏ ଭୁସୁଡି ପଡିଥିବା କୋଠା ନିକଟରେ ଛିଡା ହୋଇ କାନ୍ଦୁଛନ୍ତି।

ଅନ୍ୟ ଏକ ୱେବସାଇଟରୁ ଆମେ ଜାଣିବାକୁ ପାଇଲୁ ଯେ ଏହି ଫୋଟୋ ଅବଦୁରରେହମାନ ଅଣ୍ଟାକ୍ଯାଲି ନାମକ ଜଣେ ଫୋଟୋଗ୍ରାଫର ଉଠାଇଛନ୍ତି।
ତା’ପରେ ଆମେ ଏହି ଫଟୋଗ୍ରାଫରଙ୍କର ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ମଧ୍ୟ ପାଇଲୁ | ଏହା ଜଣାପଡିଛି ଯେ ଫଟୋଗ୍ରାଫର ନିଜେ ଏହି ଚିତ୍ରକୁ 12 ନଭେମ୍ବର 2014 ରେ ସେୟାର କରିଛନ୍ତି। ଡୁଜେ ଭୂକମ୍ପ ସମୟରେ ସେ ଏହି ଚିତ୍ର ଉତ୍ତୋଳନ କରିଥିବା ମଧ୍ୟ ଲେଖାଯାଇଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋର ସମ୍ପ୍ରତ୍ତି ସମୟରେ ତୁର୍କୀରେ ଘଟିଥିବା ଭୂମିକମ୍ପ ସହିତ କୌଣସି ସମ୍ବନ୍ଧ ନାହିଁ। ଯଦିଓ ଏହି ଫୋଟୋ ତୁର୍କୀ ଭୂମିକମ୍ପର ଅଟେ କିନ୍ତୁ ଏହା ୨୩ ବର୍ଷ ପୁରୁଣା ଫୋଟୋ ଅଟେ ଯେତେବେଳେ ତୁର୍କୀର ଦୁଜ୍ସେ ସହରରେ ୧୯୯୯ ମସିହାରେ ଭୂମିକମ୍ପ ହୋଇଥିଲା।

Title:ବର୍ଷ ପୁରୁଣା ଫୋଟୋକୁ ନିକଟରେ ତୁର୍କୀ ଭୂମିକମ୍ପର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: False
