
ମଧ୍ୟପ୍ରାଚ୍ୟ ଯୁଧ୍ୟ ସମୟରେ ଏକ ଉଚ୍ଚ ବିଲଡିଙ୍ଗ ନିକଟରେ ବିଶାଳ ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଇସ୍ରାଏଲ-ଇରାନ ଯୁଧ୍ୟ ମଧ୍ୟରେ ଇସ୍ରଏଲରେ ଏକ ଗ୍ୟାସ ସ୍ଟେସନରେ ବଡ ଧମାକା ହେଇଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଚୀନର ଏକ ପୁରୁଣା ଘଟଣା। ଏହି ଭିଡିଓଟି ୨୦୧୫ ମସିହାରେ ଚୀନର ବନ୍ଦର ସହର ତିଆନଜିନରେ ଏକ କାରଖାନାରେ ହୋଇଥିବା ରାସାୟନିକ ବିସ୍ଫୋରଣର।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୧୪ ଅଗଷ୍ଟ ୨୦୧୫ ରେ ବିବିସି ନ୍ୟୁଜ୍ ୟୁଟ୍ଯୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, “ଚୀନର ତିଆନଜିନ୍ ସହରରେ ହୋଇଥିବା ଦୁଇଟି ବଡ଼ ବିସ୍ଫୋରଣର ଫୁଟେଜ୍, ଜଣେ ଆଶ୍ଚର୍ଯ୍ୟଜନକ ପ୍ରତ୍ୟକ୍ଷଦର୍ଶୀଙ୍କ ଦ୍ୱାରା ନିଆଯାଇଥିଲା, ଯାହା ଘଟଣା ଦେଖିଥିବା ଲୋକଙ୍କ ଭୟ ଏବଂ ଆତଙ୍କକୁ କଏଦ କରିଥିଲା। ବିପଦପୂର୍ଣ୍ଣ ସାମଗ୍ରୀ ପରିଚାଳନାରେ ବିଶେଷଜ୍ଞ ଏକ କମ୍ପାନୀର ମାଲିକାନାରେ ଥିବା ଏକ ଗୋଦାମରେ ନିଆଁ ଲାଗି ବିସ୍ଫୋରଣ ହେବା ଫଳରେ ଡଜନ ଡଜନ ଲୋକ ମୃତ୍ୟୁବରଣ କରିଥିଲେ ଏବଂ ଶହ ଶହ ଆହତ ହୋଇଥିଲେ। ସହର ଅଧିକାରୀମାନେ କହିଛନ୍ତି ଯେ ଅଗ୍ନିକାଣ୍ଡ ସମୟରେ ଗୋଦାମରେ କେଉଁ ସାମଗ୍ରୀ ଥିଲା କିମ୍ବା ବିସ୍ଫୋରଣର କାରଣ କ’ଣ ତାହା ସେମାନେ ଏପର୍ଯ୍ୟନ୍ତ ଜାଣି ନଥିଲେ।”
ଗାର୍ଡିଆନ୍ ୨୦୧୫ ମସିହାରେ ଏହି ଘଟଣା ଉପରେ ଏକ ଖବର ପ୍ରକାଶ କରିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଡାନ୍ ଭାନ୍ ଡୁରେନ୍ ନାମକ ଜଣେ ପ୍ରତ୍ୟକ୍ଷଦର୍ଶୀ ଚୀନ୍ ବନ୍ଦର ସହର ତିଆନଜିନ୍ର ଶିଳ୍ପାଞ୍ଚଳରେ ଘଟିଥିବା ବିରାଟ ବିସ୍ଫୋରଣର ମୁହୂର୍ତ୍ତକୁ କଏଦ କରିଥିଲେ। ବିସ୍ଫୋରଣଗୁଡ଼ିକ ସେହି ସ୍ଥାନରେ ଘଟିଥିଲା ଯେଉଁଠାରେ ବିଷାକ୍ତ ରାସାୟନିକ ପଦାର୍ଥ ଏବଂ ଗ୍ୟାସ୍ ଗଚ୍ଛିତ ଥିଲା ଏବଂ ଅଗ୍ନିଶମ କର୍ମଚାରୀଙ୍କ ସମେତ ଅତି କମରେ ୫୫ ଜଣଙ୍କ ମୃତ୍ୟୁ ହୋଇଥିଲା।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ଚୀନର ଏକ ପୁରୁଣା ଘଟଣା। ଏହି ଭିଡିଓଟି ୨୦୧୫ ମସିହାରେ ଚୀନର ବନ୍ଦର ସହର ତିଆନଜିନରେ ଏକ କାରଖାନାରେ ହୋଇଥିବା ରାସାୟନିକ ବିସ୍ଫୋରଣର।

