
ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଜଣେ ୧୩ ବର୍ଷୀୟା ନାବାଳିକାକୁ ଜୁନ୍ ୧୮ ରୁ ୨୩ ତାରିଖ ମଧ୍ୟରେ ଅପହରଣ କରି ସହରର ବିଭିନ୍ନ ହୋଟେଲରେ ରଖାଯାଇଥିଲା ଏବଂ ପାଞ୍ଚ ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି। ୩୨ ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମଧ୍ୟରୁ ୧୪ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଅପରାଧ ଘଟିଥିବା ୩ଟି ହୋଟେଲକୁ ଭାଙ୍ଗି ଦେଇଛି।
ଏହି ପ୍ରସଙ୍ଗରେ, ଦୁଇଟି କ୍ଲିପ୍ ଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପ୍ରଥମ କ୍ଲିପ୍ରେ ଜଣେ ବ୍ୟକ୍ତିଙ୍କୁ କିଛି ଅଧିକାରୀ ପୋଲିସ ଭ୍ୟାନ୍ ପାଖକୁ ଟାଣି ନେଉଥିବା ଦେଖାଯାଇଛି ଏବଂ ଦ୍ଵିତୀୟ କ୍ଲିପ୍ରେ ଅନେକ ପୁରୁଷଙ୍କୁ ପୋଲିସ ହେପାଜତରେ ଥିବା ଦେଖାଯାଇଛି। ଭିଡିଓଟି ସେୟାର କରି ୟୁଜର୍ସମାନେ ଦାବି କରିଛନ୍ତି ଯେ ଭିଡିଓଟି ଶ୍ରୀଗଙ୍ଗାନଗରରେ ନାବାଳିକା ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୪ ଜଣଙ୍କୁ ଦେଖାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକର ବୋଲି ଜାଣିବାକୁ ପାଇଲା। ଗୁଜରାଟର ପୁରୁଣା ଘଟଣାର ଭିଡିଓକୁ ଶ୍ରିଗଙ୍ଗନଗର ଦୁଷ୍କର୍ମ ମାମଲା ସହିତ ଯୋଡ଼ି ସେୟାର କରା ଯାଉଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଦୁଇଟି ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ।
ପ୍ରଥମ କ୍ଲିପ୍:
ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ସମାନ ଭିଡିଓର ଏକ ସ୍କ୍ରିନଶଟ୍ ୨୬ ଏପ୍ରିଲ ୨୦୨୬ ରେ ଟାଇମ୍ସ ଅଫ୍ ଇଣ୍ଡିଆ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଦଶମ ଶ୍ରେଣୀର ଜଣେ ଛାତ୍ରୀଙ୍କ ପ୍ରତି ଯୌନ ନିର୍ଯାତନା ଅଭିଯୋଗ ଆଲଥାନ ଅଞ୍ଚଳରେ ଲୋକଙ୍କ କ୍ରୋଧକୁ ବଢ଼ାଇ ଦେଇଥିଲା, ଯାହା ଫଳରେ ଶୁକ୍ରବାର ରାତି ଏବଂ ଶନିବାର ଅପରାହ୍ନରେ ସ୍ଥାନୀୟ ଅଞ୍ଚଳ ଉତ୍ତେଜନାପୂର୍ଣ୍ଣ ରହିଥିଲା।
୩୮ ବର୍ଷୀୟ ଅଭିଯୁକ୍ତଙ୍କୁ ବାସିନ୍ଦାମାନେ ଦୁଇଥର ମାଡ଼ ମାରିଥିବା ଅଭିଯୋଗ ହୋଇଛି – ପ୍ରଥମେ ଘଟଣା ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଧରି ପକାଇଥିଲେ, ଏବଂ ପୁଣି ଶନିବାର ଦିନ ଯେତେବେଳେ ପୋଲିସ ତାଙ୍କୁ ପଞ୍ଚନାମା ପାଇଁ ଅପରାଧ ସ୍ଥଳକୁ ଆଣିଥିଲା।
ପୋଲିସର ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୮.୩୦ ସମୟରେ ଏହି ଘଟଣା ଘଟିଥିଲା ଯେତେବେଳେ ନାବାଳିକା ଜଣକ କୋଚିଂ କ୍ଲାସରେ ଯୋଗ ଦେଇ ଘରକୁ ଫେରୁଥିଲେ। ସେ ସେଣ୍ଟୋସା ହାଇଟ୍ସରୁ ଆଲଥାନ-ଭିମରାଡ ରୋଡରେ ଥିବା ଭିଓନା ଆପାର୍ଟମେଣ୍ଟ ଅଭିମୁଖେ ଯାତ୍ରା କରୁଥିଲେ। ଅଭିଯୁକ୍ତ, ଅଜିଜ୍ ଶେଖ୍ ନାମକ ଜଣେ ବ୍ୟକ୍ତି, ତାଙ୍କ ପଛେ ପଛେ ଅନ୍ୟ ଏକ ମୋପେଡରେ ତାଙ୍କ ପିଛା କରି ଥିଲା ଏବଂ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ସାଧାରଣ ଲୋକଙ୍କ ସମ୍ମୁଖରେ ଏହି ନିର୍ଯାତନା ଘଟୁଥିବାରୁ, ନିକଟସ୍ଥ ବାସିନ୍ଦାମାନେ ହସ୍ତକ୍ଷେପ କରି ଶେଖ୍ କୁ ଧରିଥିଲେ। ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ପେଟ୍ରୋଲିଂ ଦଳକୁ ହସ୍ତାନ୍ତର କରିବା ପୂର୍ବରୁ ଉତ୍ତ୍ୟକ୍ତ ଜନତା ତାଙ୍କୁ ମାଡ଼ ମାରିଥିଲେ। ପୋଲିସ ଅଭିଯୁକ୍ତକୁ ହେପାଜତକୁ ନେଇ ପୀଡିତାଙ୍କ ପିତାମାତା ଏବଂ ତାଙ୍କ ଶିକ୍ଷକଙ୍କ ଉପସ୍ଥିତିରେ ଏକ ଏଫଆଇଆର ରୁଜୁ କରିଥିଲା”

ଦ୍ଵିତୀୟ କ୍ଳିପ୍:
୧୯ ଏପ୍ରିଲ୍ ୨୦୨୬ ରେ ଟୁଇଟରେ ଆମକୁ ସମାନ ଭିଡିଓ ପୋଷ୍ଟ ହେଇଥିବା ମିଳିଲା। କ୍ୟାପ୍ସନରେ ଲେଖା ହେଇଥିଲା। ଖେଡା ନାବାଳିକା ଶୋଷଣ ମାମଲା: ୮ ଜଣ ଗିରଫ, ତଦନ୍ତ ଚାଲିଛି।
ଖେଡା, ଗୁଜରାଟ: ଖେଡା ଜିଲ୍ଲାରେ ଜଣେ ନାବାଳିକା ଝିଅର ଶୋଷଣ ସହିତ ଜଡିତ ଏକ ଗୁରୁତର ମାମଲାରେ ଗୁଜୁରାଟ ପୋଲିସ ଆଠ ଜଣଙ୍କୁ ଗିରଫ କରିଛି।
ପୋଲିସ ସୂତ୍ର ଅନୁଯାୟୀ, ଅଭିଯୁକ୍ତମାନେ ପୀଡିତାଙ୍କୁ ପ୍ରଲୋଭନ ଦେଖାଇବା, ଯୌନ ନିର୍ଯାତନା ଦେବା ଏବଂ ବ୍ଲାକମେଲ୍ କରିଥିବା ଅଭିଯୋଗ ହୋଇଛି। ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ପରଭେଜ ପଠାନ, ମାହିର, ଫୈଜାନ ଏବଂ ତୌଫିକ୍ ଅନ୍ତର୍ଭୁକ୍ତ।
ଅଧିକ ସର୍ଚ୍ଚ କରିବାରୁ ଆମକୁ ୧୮ ଏପ୍ରିଲ୍ ୨୦୨୬ ରେ ଇଣ୍ଡିଆ ଟିଭିରେ ପ୍ରକାଶିତ ଏକ ରିପୋର୍ଟ ମିଳିଲା, ଯେଉଁଥିରେ ଭାଇରାଲ୍ ଭିଡିଓରେ ଥିବା ସମାନ ଲୋକଙ୍କୁ ଦର୍ଶାଯାଇଥିବା ଏକ ଫୋଟୋ ଥିଲା। ରିପୋର୍ଟ ଅନୁଯାୟୀ, ଗୁଜରାଟର ଖେଡାରେ ଜଣେ ନାବାଳିକା ଝିଅକୁ ଗଣଦୁଷ୍କର୍ମ କରାଯାଇଥିଲା। ଅଭିଯୁକ୍ତମାନେ ପୀଡିତାଙ୍କୁ ତିନି ବର୍ଷ ଧରି ଶୋଷଣ କରିଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଗିରଫ କରାଯାଇଛି।

ସିଦ୍ଧାନ୍ତ:
ଆମ ଅନୁଅନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକର ଅଟେ। ଗୁଜରାଟର ପୁରୁଣା ଘଟଣାର ଭିଡିଓକୁ ଶ୍ରିଗଙ୍ଗନଗର ଦୁଷ୍କର୍ମ ମାମଲା ସହିତ ଯୋଡ଼ି ସେୟାର କରା ଯାଉଛି।

