
୨୫ ଜୁନ୍ ୨୦୨୬ ରେ ମଧ୍ୟପ୍ରଦେଶର ରତଲାମ ଜିଲ୍ଲାର ଏକ ଗାଁରେ ମହରମ୍ ଅବସରରେ ବାହାରକୁ ଯାଉଥିବା ଏକ ତାଜିଆ ଶୋଭାଯାତ୍ରା ଏକ ଉଚ୍ଚ-ଟେନସନ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୨ ଜଣ ଗୁରୁତର ଭାବରେ ପୋଡ଼ି ଯାଇଥିଲେ।
(ତାଜିଆ ହେଉଛି ଇମାମ ହୁସେନଙ୍କ ସମାଧିର ଏକ କ୍ଷୁଦ୍ର ପ୍ରତିକୃତି। ଏହା ବାଉଁଶରେ ତିଆରି ଏକ ଗଠନ, ଯାହାକୁ ରଙ୍ଗୀନ କାଗଜ ଏବଂ କପଡାରେ ସଜାଯାଇଥାଏ)
ଏହି ପ୍ରସଙ୍ଗରେ ମହରମ୍ ଶୋଭାଯାତ୍ରା ସମୟରେ ଏକ ଦୁର୍ଘଟଣାକୁ ଦର୍ଶାଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ମଧ୍ୟପ୍ରଦେଶର ରତଲାମରେ ଘଟିଥିବା ସାମ୍ପ୍ରତିକ ଦୁଃଖଦ ଘଟଣା ବୋଲି ଦାବି କରା ଯାଇଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୯ ଜୁଲାଇ ୨୦୨୩ ର ଏକ ରିପୋର୍ଟ ମିଳିଲା ଯେଉଁଥିରେ ଭାଇରାଲ ଭିଡିଓର ଏକ ସ୍କ୍ରିନଶଟ ଥିଲା। ରିପୋର୍ଟ ଅନୁଯାୟୀ, ଉତ୍ତର ପ୍ରଦେଶର ଆମରୋହା ଜିଲ୍ଲାର ପାଟେଇ ଖାଲସା ଗାଁରେ ତାଜିଆ ଶୋଭାଯାତ୍ରା ଏକ ଉଚ୍ଚ-ଟେନସନ୍ ଲାଇନ ସଂସ୍ପର୍ଶରେ ଆସିଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୨୪ ଜଣ ଲୋକ ଆହତ ହୋଇଥିଲେ ଏବଂ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।

ଏହି ସଙ୍କେତଗୁଡ଼ିକୁ ବ୍ୟବହାର କରି, ଆମେ ଅଧିକ ସନ୍ଧାନ କରିଥିଲୁ ଏବଂ ଏହି ଦୁର୍ଘଟଣା ସମ୍ପର୍କରେ ଅନେକ ଗଣମାଧ୍ୟମ ରିପୋର୍ଟ ପାଇଲୁ। ଯାହା ଆପଣ ଏଠାରେ ଏବଂ ଏଠାରେ ଦେଖିପାରିବେ।
ଏହା ସହିତ, ଆମେ ୩୦ ଜୁଲାଇ ୨୦୨୩ ରେ ଦୈନିକ ଜାଗରଣ ଦ୍ୱାରା ସେୟାର କରାଯାଇଥିବା ସମାନ ସୂଚନା ସହିତ ଏକ ଭିଡିଓ ସମାଚାର ରିପୋର୍ଟ ପାଇଲୁ ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ।
ସିଦ୍ଧାନ୍ତ:
ଆମ ଅନୁଅନ୍ଧାନରେ ଭାଇରାଲ ଦାବି ବିଭ୍ରାନ୍ତକର ବୋଲି ପ୍ରମାଣିତ ହେଲା। ଭାଇରାଲ ଭିଡିଓର ମଧ୍ୟପ୍ରଦେଶର ରତଲାମରେ ମୂହରମ ସମୟର ଦୁର୍ଘଟଣା ସହିତ କୌଣସି ସମ୍ପର୍କ ନାହିଁ। ଏହା ଉତ୍ତରପ୍ରଦେଶର ଏକ ପୁରୁଣା ଘଟଣା।

