
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଅନେକ ସ୍ଥାନରେ ହିନ୍ଦୀରେ ଲେଖା ଯାଇଥିବା ଶବ୍ଦ ଗୁଡ଼ିକୁ କିଛି ଲୋକ କଳା ରଙ୍ଗ ପୋତି ଲିଭାଇବାକୁ ଚେଷ୍ଟା କରୁଛନ୍ତି। ଦାବି କରା ଯାଉଛି ଯେ ତାମିଲ ନାଡ଼ୁରେ ସି. ଜୋସେଫ ବିଜୟଙ୍କ ଦଳ ନିର୍ବାଚନ ଜିତିବା ପରେ ହିନ୍ଦୀ ଭାଷା ବିରୁଦ୍ଧରେ ପ୍ରତିବାଦ ଦେଖିବାକୁ ମିଳିଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଦେଶରେ ଭାଷା ନାଁରେ କେମିତି ଘୃଣା ଭାବ ଫେରାଇବା ଲଢେଇ କରାବା ଏହି ସବୁ କାର୍ଯ୍ୟ କେଉଁ ରାଜନୈତିକ ଦଳ କରୁଛନ୍ତି ଜନତା ଦେଖନ୍ତୁ। ଜନତା। TVK ବିଜୟ ର ବିକାଶର ପ୍ରଥମ କାମ, ସେ ହେଉଛି “ହିନ୍ଦୀ ଭାଷା ” କୁ ତାମିଲନାଡୁ ରୁ ବହିସ୍କାର କରିବା। ତା ସହିତ କଂଗ୍ରେସ ର ବି ସାମିଲ୍। କଂଗ୍ରେସର ଭାରତ ଯୋଡ ଯାତ୍ରା ରେ ଏସବୁ ବି ସାମିଲ୍। କିଛି ଗଦାରକୁ ନାଁ ପରିବର୍ତ୍ତନ ବହୁତ କଷ୍ଟ। ଏ ଘଟଣାରେ ଚୁପ୍”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସାନ ଭିଡିଓ ୧୨ ମାର୍ଚ୍ଚ ୨୦୨୬ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ତାମିଲ ଭାଷାରେ ଲେଖାଯାଇଥିବା କ୍ୟାପ୍ସନର ଅନୁବାଦ ହେଉଛି, “ଭିଡିଓଟି ହିନ୍ଦୀ ବିରୋଧୀ ପ୍ରତିବାଦ ଦର୍ଶାଉଛି।”
ଏହା ସ୍ପଷ୍ଟ କରୁଛି ଯେ ଭାଇରାଲ ଭିଡିଓଟି ତାମିଲନାଡୁରେ ଟିଭିକେର ବିଜୟ ପୂର୍ବରୁ।
ଆମେ ୧୫ ମାର୍ଚ୍ଚ, ୨୦୨୬ ରେ ‘ଦି ୱାୟାର’ର ଅଫିସିଆଲ୍ ଫେସବୁକ୍ ପେଜରେ ଏକ ପୋଷ୍ଟ ପାଇଲୁ ଯେଉଁଥିରେ ଭାଇରାଲ୍ ଭିଡିଓର ସ୍କ୍ରିନସଟ୍ ସହିତ ସମାନ ଏକ ଫଟୋ ଥିଲା। ପୋଷ୍ଟରେ ଲେଖାଥିଲା, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୧୧ ତାରିଖରେ ତାମିଲନାଡୁ ଗସ୍ତ କରିବା ସମୟରେ, ରାଜ୍ୟରେ ହିନ୍ଦୀ ବିରୋଧୀ ପ୍ରତିବାଦ ଆରମ୍ଭ ହୋଇଥିଲା।”
ଆନ୍ଦୋଳନର ଆୟୋଜକ ତିରୁମୁରୁଗାନ୍ ଗାନ୍ଧୀଙ୍କ ନେତୃତ୍ୱରେ ‘ମେ ୧୭ ଆନ୍ଦୋଳନ’ର ଅଂଶଗ୍ରହଣକାରୀମାନେ ଚେନ୍ନାଇ ପାର୍କ ରେଳ ଷ୍ଟେସନରେ ପ୍ରବେଶ କରି ନିକଟରେ ଲଗାଯାଇଥିବା ଷ୍ଟେସନ ସାଇନେଜ୍ ବୋର୍ଡଗୁଡ଼ିକୁ କଳା ରଙ୍ଗ କରିଥିଲେ, ଯେଉଁଥିରେ କେନ୍ଦ୍ରରେ ହିନ୍ଦୀକୁ ପ୍ରାଥମିକତା ଦିଆଯାଇଥିଲା, ଉପରେ ତାମିଲ ଏବଂ ତଳେ ଇଂରାଜୀ ଥିଲା। ଆନ୍ଦୋଳନର ଜଣେ କର୍ମୀ ଶିବା ଦିଲୀପନ ମଧ୍ୟ ଷ୍ଟେସନରେ ପ୍ରବେଶ କରୁଥିବା ଏକ ଟ୍ରେନ୍ ସାମ୍ନାକୁ ଡେଇଁ “ତାମିଲ ଜିନ୍ଦାବାଦ, ହିନ୍ଦୀ ମୁର୍ଦାବାଦ” ନାରା ଦେଇଥିଲେ।
ଏହି ସୂଚନାକୁ ନେଇ, ଆମେ ଏକ ପ୍ରାସଙ୍ଗିକ କୀୱାର୍ଡ ସନ୍ଧାନ କରିଥିଲୁ। ଏହା ଆମକୁ “ମେ ୧୭ ଆନ୍ଦୋଳନ”ର YouTube ଚ୍ୟାନେଲକୁ ନେଇଗଲା ଯେଉଁଠାରେ ଆମେ ୧୪ ମାର୍ଚ୍ଚ, ୨୦୨୬ ରେ ଏକ ଭିଡିଓ ପାଇଲୁ, ଯାହା ଭାଇରାଲ ହୋଇଥିବା ଭିଡିଓ ସହିତ ମେଳ ଖାଉଥିଲା।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ବିଭ୍ରାନ୍ତକର ବୋଲି ପ୍ରମାଣିତ ହେଇଛି। ହିନ୍ଦୀ ଭାଷା ବିରୁଦ୍ଧରେ ଏକ ପୁରୁଣା ପ୍ରତିବାଦର ଭିଡିଓକୁ ନିକଟରେ ତାମିଲନାଡ଼ୁ ନିର୍ବାଚନ ଜିତିବା ପରେ ଏହା ଟିଭିକେ ସମର୍ଥକଙ୍କ କାମ ଦାବି ସହିତ ସେୟାର କରା ଯାଉଛି।

