
ଗତ ବର୍ଷ ଡାଃ ଅଶ୍ବିନ ବୈଷ୍ଣବଙ୍କୁ ଭାରତର ରେଳ ମନ୍ତ୍ରୀ ପଦରେ ନିଯୁକ୍ତି କରା ଯାଇଥିଲା। ଡାଃ ବୈଷ୍ଣବ ଓଡ଼ିଶା କ୍ୟାଡରରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ ଏବଂ ବାଲେଶ୍ଵର ଏବଂ କଟକ ଜିଲ୍ଲାର ଜିଲ୍ଲା କଲେକ୍ଟର ଭାବରେ କାର୍ଯ୍ୟ କରିବା ସହିତ ଓଡ଼ିଶାର ଭିନ୍ନ ସ୍ଥାନରେ ବହୁ ପରିଶ୍ରମ କରିଥିଲେ। ୨୦୦୩ ପର୍ଯ୍ୟନ୍ତ ସେ ଓଡ଼ିଶାରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କ କାର୍ଜ୍ୟାଳୟରେ ଡେପୁଟି ସେକ୍ରେଟାରୀ ଭାବରେ ନିଯୁକ୍ତି ହୋଇଥିଲେ।
କିଛି ଦିନ ପୂର୍ବରୁ ଅନେକ ଛାତ୍ର ମାନେ ରେଳବାଇ ପରୀକ୍ଷା ବିରୁଦ୍ଧରେ ଆନ୍ଦୋଳନ କରିଥିବା ସୂଚନା ସାମନାକୁ ଆସିଥିଲା। ୨୭ ଜାନୁଆରୀରେ ଇଣ୍ଡିଆ ଟୁଡେ ପତ୍ରିକା ୱେବସାଇଟରେ ଏହି ଘଟଣା ବିଷୟରେ ଏକ ସମ୍ବାଦ ପ୍ରକାଶିତ ହେଇଛି ଯେଉଁଥିରେ ଆମେ ପ୍ରକୃତ ଘଟଣା ବିଷୟରେ ଜାଣିବାକୁ ପାଇଲୁ। ସମ୍ବାଦ ଅନୁଯାୟୀ ରେଳବାଇ ନିଯୁକ୍ତି ବୋର୍ଡର ପରିକୟା ପ୍ରକ୍ରିୟାରେ ହୋଇଥିବା ଅନିୟମିତତାକୁ ବିରୋଧ କରି ହଜାର ହଜାର ଛାତ୍ର ବିହାରର ରାସ୍ତାରେ ଆନ୍ଦୋଳନ କରୁଥିବା ଜଣା ପଡିଛି।
ଏହି ଘଟଣା ନେଇ ବର୍ତ୍ତମାନ କିଛି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରକ୍ତାକ୍ତ ହୋଇଥିବା କିଛି ଯୁବକଙ୍କ ଫୋଟୋ ସେୟାର କରି ଦାବି କରା ଯାଇଛି ଯେ ଏହି ଫୋଟୋ ଆନ୍ଦୋଳନ ସମୟରେ ଆଘାତ ହୋଇଥିବା ଛାତ୍ରଙ୍କ ଫୋଟୋ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୨୭ ଜାନୁଆରୀରେ ପ୍ରିୟବ୍ରତ ନାୟକ ନାମକ ଜଣେ ଫେସବୁକ ବ୍ୟବହାରକାରୀ କିଛି ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି, “ବିଜେଡି ତୁମ କୁକର୍ମ ଫଳଦେଶ ଭୋଗୁଛି। ନବୀନ ବାବୁ ଯେଉଁ ଅଶ୍ବିନ ବୈଷ୍ଣବଙ୍କୁ ରାଜ୍ୟ ସଭାକୁ ପଠେଇଲେ, କାଲୀ ଉତ୍ତର ଭାରତରେ ଲକ୍ଷ ଲକ୍ଷ ଛାତ୍ର ରେଳ ଭର୍ତି ପରୀକ୍ଷାକୁ ନେଇ ହିଂସକ ଆନ୍ଦୋଳନକୁ ଓଲ୍ହେଇଲେ।”


ଆମ ଅନୁସନ୍ଧାନ:
ପ୍ରଥମ ଫୋଟୋ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରି ଦେଖିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୩ ନଭେମ୍ବର ୨୦୧୮ ମସିହାରେ ରାହୁଲ ଗାନ୍ଧୀଙ୍କ ଟୁଇଟର ହେଣ୍ଡେଲରେ ଟୁଇଟ ହେଇଥିବା ମିଳିଲା। ଫୋଟୋ ଟୁଇଟ କରି ରାହୁଲ ଗାନ୍ଧୀ ଲେଖିଛନ୍ତି, “୨ କୋଟି ଚାକିରିର ପ୍ରତିଶୃତି ଥିଲା, କିନ୍ତୁ ୟୁପିରେ ୬୮,୫୦୦ସହକାରୀ ଶିକ୍ଷକନିଯୁକ୍ତି ପାଇଁ ଯୁବକମାନଙ୍କ ସହିତ ଯୋଗୀ ସରକାରଙ୍କ ଆଚରଣକୁ ଦେଖନ୍ତୁ। ଯେଉଁମାନେ ପିଲା ମାନଙ୍କର ଭବିଷ୍ୟତ ଗଢନ୍ତି ସେମାନଙ୍କର ଭବିଷ୍ୟତ ଉପରେ ଏପରି ଆକ୍ରମଣ? କଂଗ୍ରେସ ଉତ୍ତରପ୍ରଦେଶର ଶିକ୍ଷକ ପ୍ରାର୍ଥୀଙ୍କ ସହ ଅଛି। ଯୁବକମାନେ ଶୀଘ୍ର ଏହାର ଉତ୍ତର ଦେବେ।”
ଆମେ ଜାଣିଛୁ ଯେ ଡାଃ ଅଶ୍ବିନ ବୈଷ୍ଣବ ଗତ ବର୍ଷ ରେଳ ମନ୍ତ୍ରୀ ପଦରେ ନିଯୁକ୍ତି ହୋଇଥିଲେ। ସେଥିପାଇଁ ଭାଇରାଲ ଫୋଟୋର ତାଙ୍କ ସହିତ କୌଣସି ସମ୍ବନ୍ଧ ନାହିଁ।
ଦ୍ଵିତୀୟ ଫୋଟୋ:
ପୋଷ୍ଟରେ ଥିବା ଦ୍ଵିତୀୟ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ଉତ୍ତରପ୍ରଦେଶ ନ୍ୟୁଜ ନାମକ ଏକ ସଂସ୍ଥାର ଟୁଇଟର ହେଣ୍ଡେଲରେ ସମାନ ଫୋଟୋ ପୋଷ୍ଟ ହେଇଥିବା ମିଳିଲା। ଏହି ଟୁଇଟରେ କୁହ ଯାଇଛି ଯେ ୬୮୫୦୦ ଶିକ୍ଷକ ନିଯୁକ୍ତି ବିଟିସି ଛାତ୍ର ମାନେ ବିଧାନସଭା ସାମନାରେ ପ୍ରଦରହଣ କରିଥିଲେ। ଏହି ଆନ୍ଦୋଳନ ବିଷୟରେ ପୋଲିସକୁ ଖବର ପହଞ୍ଚିନଥିଲା। ପୋଲିସ ବିଳମ୍ବରେ ପହଞ୍ଚି ପ୍ରଦର୍ଶନକାରୀଙ୍କ ଉପରେ ଲାଠି ଚାର୍ଜ କରିଥିଲା ଯେଉଁଥିରେ ଅନେକ ପ୍ରାର୍ଥୀ ଆଘାତ ହୋଇଥିଲେ।
ଉତ୍ତରପ୍ରଦେଶ ନ୍ୟୁଜ ନିଜ ୟୁଟ୍ୟୁବ ଚ୍ୟାନାଲରେ ୨ ନଭେମ୍ବର ୨୦୧୮ ମସିହାରେ ଏହି ଘଟଣାର ଏକ ଭିଡିଓ ପ୍ରସାରିତ କରିଛି। ନିମ୍ନରେ ଆପଣ ଘଟଣାର ଭିଡିଓ ଦେଖି ପାରିବେ।
ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ପୋଷ୍ଟରେ ଥିବା ୪ ଟି ଫୋଟୋର କୋଲାଜ ସମାନ ଘଟଣାର ଅଟେ।
ଏହା ପରେ ଆମେ ଭାଇରାଲ ପୋଷ୍ଟରେ ଥିବା ମହିଳାଙ୍କ ଫୋଟୋ ବିଷୟରେ ସତ୍ୟତା ଜାଣିବାକୁ ଅନୁସନ୍ଧାନ କରିଲୁ ଯେଉଁଥିରେ ବିରୋଧ କରୁଥିବା ସମୟରେ ସେ “ସମସ୍ତ ଲୁଟେରା ମାନେ ବିଜୁ ପଟ୍ଟନାୟକଙ୍କ ନାମରେ ଏକତ୍ର ହୋଇଛନ୍ତି…ଓଡ଼ିଶାର ବିକାଶ କେବଳ କଂଗ୍ରେସ” ବୋଲି ଲେଖା ଯାଇଛି।
ଫୋଟୋର ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ଏକ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। କିନ୍ତୁ ଏହି ଫୋଟୋରେ ସେ ମହିଳା ବିଜୁ ପଟ୍ଟନାୟକ କିମ୍ବା ବିଜେଡି ଦଳ ବିରୁଦ୍ଧରେ ନୁହେଁ, ବରଂ ସେମାନେ ଜେଏନୟୁ ସମର୍ଥନରେ ଧାରଣା ଦେଇଥିଲେ।

ନିମ୍ନରେ ଆପଣ ମାନେ ଦୁଇଟି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାରୁ ପ୍ରମାଣିତ ହେଲା ଯେ ପୋଷ୍ଟରେ ଭାଇରାଲ ହେଉଥିବା ଫୋଟୋର ବର୍ତ୍ତମାନ ଶିକ୍ଷକଙ୍କ ଆନ୍ଦୋଳନ ସହିତ କୌଣସି ସମ୍ବନ୍ଧ ନାହିଁ। ଉପରୋକ୍ତ ଫୋଟୋର ବିଜେଡି ସରକାର କିମ୍ବା ଓଡ଼ିଶା ସହିତ ମଧ୍ୟ କୌଣସି ସମ୍ବନ୍ଧ ନାହିଁ। ୨୦୧୮ ମସିହାର ପୁରୁଣା ଫୋଟୋକୁ ସମ୍ପ୍ରତି ସମୟର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ଭାଇରାଲ ହେଉଥିବା ଫୋଟୋ ରେଳ ଭର୍ତି ପରୀକ୍ଷାକୁ ନେଇ ହିଂସକ ଆନ୍ଦୋଳନକୁ ଦର୍ଶାଉଛି? କ’ଣ ଏହା ପାଇଁ ନବୀନ ପଟ୍ଟନାୟକ ସରକାର ଦାୟୀ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
