
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ବିରିୟାନୀ ଥାଳି ସହିତ ଚିଡ଼ା ହେଇଥିବାର ଦେଖିବାକୁ ମିଳିଛି। ଏହା ସଥେ କିଛି ବଟିକାର ଫୋଟୋ ମଧ୍ୟ ଅଛି। ଏହି ଫୋଟୋ ପୋଷ୍ଟ କରି ଦାବି କରା ଯାଇଅଛି ଯେ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟରେ ହିନ୍ଦୁ ଗ୍ରାହକଙ୍କ ବିରିୟାନୀ ତିଆରି କରିବା ପାଇଁ ମୁସ୍ଲିମ ମାନେ ନପୁଂସକତା ବଟିକାର ବ୍ୟବହାର କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ମିଥ୍ୟା ଦାବି ଯେଉଁଥିରେ କୌଣସି ସତ୍ୟତା ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ଗୁଡ଼ିକ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନ୍ତି, “ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର ରାଜ୍ୟର ରାଷ୍ଟ୍ରୀୟ ରାଜପଥ କଡରେ ଥିବା ୪୦ରୁ ଊର୍ଦ୍ଧ୍ବ ମୁସଲମାନ (ନିଜ ପରିଚୟ ଲୁଚାଇ) ଢାବା ଉପରେ ପୋଲିସ ଚଢାଉ କରାଯାଇ ବ୍ୟାପକ ପରିମାଣରେ ନପୁଂସକତା ମେଡିସିନ ଜବତ କରାଯାଇଛି । ଯାହାକି ହିନ୍ଦୁଙ୍କ ଖାଦ୍ୟରେ ମିଶାଇ ଖାଦ୍ୟ ପରସା ଯାଉଛି । ଏହା ହିନ୍ଦୁଙ୍କ ଜନସଂଖ୍ଯା କମ କରିବାର ବିରାଟ ଷଡଯନ୍ତ୍ର ।* ବିଷାକ୍ତ କେମିକାଲ, ରସାୟନ ବ୍ୟବହାର କରାଯାଉଛି ଯାହା ଶରୀର ପାଇଁ ମରଣାନ୍ତକ । ଯାତ୍ରୀବାହୀ ବସ ଡ୍ରାଇଭରଙ୍କୁ ଲୋଭ ଦେଇ ମୁସଲମାନ ଢାବାରେ ଖାଇବା ପାଇଁ ଅଟକାଇଛନ୍ତି । ହିନ୍ଦୁଙ୍କ ଧର୍ମ ନାଶ କରିବାକୁ ଅପମିଶ୍ରିତ ଆମିଷ ପରଷା ଯାଉଛି ।“
ସମାନ ଦାବି ୨୦୨୧ ମସିହାରେ ମଧ୍ୟ ଭାଇରାଲ ହେଇଥିଲା ଯେଉଁଥିରେ କୁହା ଯାଇଥିଲା ଯେ ଏହା କୋଏମ୍ବାଟୁର ସହରର ଘଟଣା। ନିମ୍ନରେ ଆପଣ ମାନେ ସେହି ପୋଷ୍ଟ ଦେଖି ପାରିବେ।
https://www.facebook.com/share/RGKxhzkvr7c8m3CG
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨ ମାର୍ଚ ୨୦୨୦ ମସିହାରେ ନ୍ୟୁଜ ୧୮ ୱେବସାଇଟରେ ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ ଆରଡି ସିଂହ ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଫୋଟୋ ପୋଷ୍ଟ କରିଲା ପରେ କୋଏମ୍ବାଟୁର ପୋଲିସ ଦାବିକୁ ଖଣ୍ଡନ କରି ଏହାକୁ ମିଥ୍ୟା ବୋଲି କହିଥିଲା। ପୋଲିସ ସ୍ପଷ୍ଟ କରିଥିଲା ଯେ କୋଏମ୍ବାଟୁର ସହରରେ ଏପରି କୌଣସି ଘଟଣା ଘଟିନଥିଲା।
କୋଏମ୍ବାଟୁର ପୋଲିସ ଟୁଇଟ ମାଧ୍ୟମରେ ଏହି ମିଥ୍ୟା ଭାଇରାଲ ଦାବି ବିଷୟରେ ସଚେଟ କରିଥିଲା। ନିମ୍ନରେ ଆପଣ ମାନେ ସେହି ଟୁଇଟ ଦେଖି ପାରିବେ।
ଏହା ପରେ ଆମେ ପୋଷ୍ଟ ରେ ଥିବା ଫୋଟୋ ଗୁଡ଼ିକର ତଥ୍ୟ ଯାଞ୍ଚ କରିଲୁ।
ଫୋଟୋ ୧: ବିରିୟାନୀ ବାଢୁଥିବା ବ୍ୟକ୍ତିଙ୍କ ଫୋଟୋ ୟୁଟ୍ୟୁବରେ ଏକ ଭିଡିଓରୁ ନିଆ ଯାଇଅଛି। ୟୁଟ୍ୟୁବ ଏକାଉଣ୍ଟ ‘ଇଣ୍ଡିଆନ ରେଷ୍ଟୁରାଣ୍ଟ ଷ୍ଟାଇଲ ରେସିପି’ ରେ ୧ ଜୁନ ୨୦୧୬ ମସିହାରେ ପୋଷ୍ଟ କରା ଯାଇଥିବା ଭିଡିଓର ଏହା ଏକ ଥମ୍ବନେଲ ଫୋଟୋ ଅଟେ।
ଫୋଟୋ ୨: ବଟିକାର ଏହି ଦୁଇଟି ଫୋଟୋ ଭାରତରୁ ନୁହେଁ। ୨୦୧୯ ମସିହାରେ ଶ୍ରୀଲଙ୍କାର ‘ଡେଲି ମିରର’ ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କଲମ୍ବୋ ସହରର ଏକ ଘରେ ପୋଲିସ ଛାପମାରି ଏକ ବେଆଇନ ଦ୍ରଗ୍ସ ଜବତ କରିଛି। ପୋଲିସ ଏହି ବାପା-ପୁଅ ଯୋଡ଼ିଙ୍କ ପାଖରୁ ପାଖାପାଖି ୪୦ ଲକ୍ଷ ଟଙ୍କା ମୂଲ୍ୟର ବଟିକା ଜବତ କରିଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ପୋଷ୍ଟରେ ଦିଆ ଯାଇଥିବା ଦାବି ମିଥ୍ୟା ଅଟେ। ଏହା ଏକ ପୁରୁଣା ମିଥ୍ୟା ଦାବି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିରିଆନୀ ରେ ନପୁଂସକତା ବଟିକା ମିଶ୍ରଣ କରି ହିନ୍ଦୁ ମାନଙ୍କୁ ଦେଉଥିବା କୌଣସି ଘଟଣା ସାମନାକୁ ଆସି ନାହିଁ।

Title:କ’ଣ ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଗୁଜରାଟ ରେ ମୁସ୍ଲିମ ମାନେ ନପୁଂସକତା ମେଡିସିନ ମିଶ୍ରଣ ବିରିଆନୀ ହିନ୍ଦୁ ମାନଙ୍କୁ ଦେଉଛନ୍ତି? ଜାଣନ୍ତୁ ସତ୍ୟତା।
Fact Check By: Siddharth SahuResult: False
