
୨୦୨୪ ନିର୍ବାଚନ ସହିତ ଯୋଡି ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ବିଜେପି ର ସ୍କାର୍ଫ ପିନ୍ଧିଥିବା କିଛି ଲୋକଙ୍କୁ ଜନସାଧାରଣ ଦୌଡେଇ ମାରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ରେଲି କରୁଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଲୋକେମାନେ ମାଡ଼ ମାରି ସ୍ଥାନରୁ ଭଗାଉଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ତେଲଙ୍ଗାନା ରାଜ୍ୟର ଏକ ପୁରୁଣା ଘଟଣା ଅଟେ ଯେଉଁଥିରେ ଟିଆରଏସ (TRS) ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଝଗଡା ହୋଇଥିଲା।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଭିଡିଓ ସେୟାର କରି ପରିହାସ କରିଛନ୍ତି ଯେ “୪୦୦ ପାର କହୁଥିଲେ, ଲୋକେ ଏରିଆ ପାର କରି ଦେଲେ।“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଟିଭି୯ ତେଲୁଗୁ ର ୟୁଟ୍ୟୁବ ଚ୍ୟାନାଲରେ ୯ ଫେବ୍ରୁଆରି ୨୦୨୨ ରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓର ଆରମ୍ଭରେ ଆମେ ଭାଇରାଲ ଭିଡିଓ କ୍ଲିପ୍ ଦେଖିଲୁ। ଭିଡିଓର କ୍ୟାପ୍ସନ୍ ରେ ଉଲ୍ଲେଖ କରା ଯାଇଛି ଯେ ଏହା ଜନଗାଊଁ ନାମକ ସ୍ଥାନର ଘଟଣା ଅଟେ ଯେଉଁଠାରେ ତେଲଙ୍ଗାନା ରାଷ୍ଟ୍ର ସମିତି ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଝଗଡା ହୋଇଥିଲା।
ଆମକୁ ଏହି ଭିଡିଓ ୧୦ ଫେବ୍ରୁଆରି ୨୦୨୨ ରେ ଟାଇମ୍ସ ଅଫ୍ ଇଣ୍ଡିଆ (Archive)ୱେବସାଇଟରେ ମଧ୍ୟ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ୮ ଫେବୃଆରୀ ୨୦୨୨ ରେ ତେଲେଙ୍ଗାନା ରାଜ୍ୟ ଗଠନ ସମ୍ପର୍କରେ ରାଜ୍ୟସଭାରେ ଏକ ବିବୃତ୍ତି ଦେଇଥିଲେ ଯେଉଁଥିରେ ସେ କଂଗ୍ରେସ ସରକାର ସମୟରେ ଆନ୍ଧ୍ରପ୍ରଦେଶର ବିଭାଜନକୁ ଭୁଲ ବୋଲି କହିଥିଲେ। ଏହି ବିବୃତ୍ତି ବିରୋଧରେ ତେଲଙ୍ଗନା ରାଷ୍ଟ୍ରିୟ ସମିତି ବିରୋଧ କରିଥିଲା। ଟିଆରଏସ କର୍ମୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୁତଳା ଜାଳିବାକୁ ଚେଷ୍ଟା କରୁଥିବାବେଳେ ବିଜେପି କର୍ମୀମାନେ ଏହାକୁ ବିରୋଧ କରିଥିଲେ ଏବଂ ପରେ ଉଭୟ ଦଳରଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ୨୦୨୪ ଲୋକସଭା ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ। ଏହା ତେଲଙ୍ଗାନା ରାଜ୍ୟର ଏକ ପୁରୁଣା ଘଟଣା ଅଟେ ଯେଉଁଥିରେ ଟିଆରଏସ (TRS) ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଝଗଡା ହୋଇଥିଲା।

Title:କ’ଣ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଲୋକମାନେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାରୁଛନ୍ତି? ଜାଣନ୍ତୁ ସତ୍ୟତା।
Fact Check By: Siddharth SahuResult: Misleading
