
ଜୁନ୍ ମାସରେ ଓସେନ୍ ଗେଟ୍ ଦ୍ଵାରା ପରିଚାଳିତ ଟାଇଟେନ୍ ପନଡ୍ଡୁବି କିଛି ଯାତ୍ରୀଙ୍କୁ ନେଇ ସମୁଦ୍ରରେ ବୁଡି ରହିଥିବା ଟାଇଟେନିକ୍ ଜାହାଜର ପରିଦର୍ଶନ ପାଇଁ ଯାଇଥିଲା। ସମୁଦ୍ର ପାଣିରେ କିଛି ଗଭୀରତାକୁ ଯିବା ପରେ ଏହି ପନଡ୍ଡୁବି ସହିତ ସମ୍ପର୍କ ବିଛିନ୍ନ ହେଲା ପରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଯାତ୍ରା କରୁଥିବା ୫ ଟି ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।
ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଗୋଟିଏ ପନଡ୍ଡୁବି ଭିତରେ ବସିଥିବା କିଛି ଲୋକଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସେମାନେ ସମୁଦ୍ରରେ ବୁଡିଥିବା ଏକ ଜାହାଜ ନିକଟରେ ପହଞ୍ଚି ତାହାର ଫୋଟୋ ମଧ୍ୟ ନେଉଛନ୍ତି। ଦାବି କରା ଯାଉଛି ଯେ ଏହା ନିକଟରେ ଟାଇଟେନ୍ ପନଡ୍ଡୁବିରେ ଟାଇଟେନିକ୍ ଜାହାଜ ପରିଦର୍ଶନ କରିବାକୁ ଯାଇଥିବା ବେଳେ ଦୁର୍ଘଟଣାର କିଛି ସମୟ ପୂର୍ବର ଭିଡିଓ ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଭିଡିଓ ଅଟେ ଯାହାର ନିକଟରେ ଟାଇଟେନ୍ ପନଡ୍ଡୁବିର ଦୁର୍ଘଟଣା ସହିତ କୌଣସି ସମ୍ବନ୍ଧ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନ୍ତି, ” ଟାଇଟାନିକ୍ ଦେଖିବାକୁ ଯାଇ ” ଟାଇଟନ୍” ପନଡ୍ଡୁବିର ଶେଷ ଭିଡିଓ। “ଟାଇଟନ” ର ଦୃଘଟଣା ହେତୁ ସେଥିରେ ଯାଇଥିବା ସମସ୍ତ ୫ ଜଣ କୋଟିପତି ଯାତ୍ରୀ ମୃତ”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ୮ ଜୁଲାଇ ୨୦୨୩ ର ଇଣ୍ଡିପେଣ୍ଡେଣ୍ଟ ୱେବସାଇଟରେ ପ୍ରକାଶିତ ହେଇଥିବା ଏକ ରିପୋର୍ଟ ଅନୁଯାୟୀ, ସେହି ପନଡ୍ଡୁବିରେ ୫ ଜଣ ଯାତ୍ରୀ ଥିଲେ। ଓସେନ୍ ଗେଟ୍ ସିଇଓ ଷ୍ଟକଟନ୍ ରଶ, ଫ୍ରାନ୍ସର ପଲ୍ ହେନରୀ, ଇଂଲାଣ୍ଡର ଆରବପତି ହାମିଶ ହାର୍ଡିଙ୍ଗ, ପାକିସ୍ତାନୀ ବ୍ୟବସାୟୀ ଶହଜାଦା ଦାଉଦ ଏବଂ ତାଙ୍କ ପୁଅ ସୁଲେମାନ ଦାଉଦ ଯାତ୍ରା କରୁଥିଲେ।

ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିବା ପରେ ଆମେ ସେଥିରେ ଜଣେ ମହିଳାଙ୍କୁ ଦେଖିବାକୁ ପାଇଲୁ। କିନ୍ତୁ ଉପରୋକ୍ତ ତଥ୍ୟରେ କୌଣସି ମହିଳାଙ୍କ ନାମ ଉଲ୍ଲେଖ କରା ଯାଇ ନାହିଁ। ଏହି କାରଣରୁ ଆମକୁ ଭାଇରାଲ ଭିଡିଓ ଏକ ପୁରୁଣା ଘଟଣା ବୋଲି ସନ୍ଦେହ ହେଲା।
ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ ୨୨ ଜୁନ୍ ରେ ସିବିଏସ ନ୍ୟୁଜ୍ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡିଓଟି ୨୦୨୧ ମସିହାରେ ଟାଇଟେନ୍ ପନଡ୍ଡୁବିରେ ଏକ ସାକ୍ଷାତକାରର ଅଟେ ଯେଉଁଥିରେ ଆରୋନ ନ୍ୟୁମେନ୍ ନାମକ ଜଣେ ବ୍ୟକ୍ତି ଯାତ୍ରା କରିଥିଲେ। ଏହି ଭିଡିଓର ୪୫ ସେକେଣ୍ଡ ସମୟ ପରେ ଆମେ ଭାଇରାଲ ଭିଡିଓର କ୍ଲିପ୍ ଦେଖି ପାରିଲୁ।
ଏଥିସହ ଆମେ ଭିଡିଓର ବାମ ପାର୍ଶ୍ଵରେ ‘ସୌଜନ୍ୟ ଆରୋନ ନ୍ୟୁମେନ୍ ୨୦୨୧’ ଲେଖା ଯାଇଛି। ଏହା ଦ୍ଵାରା ମଧ୍ୟ ସ୍ପଷ୍ଟ ହେଉଛି ଯେ ଭାଇରାଲ ହେଉଥିବା ଭିଡିଓ ପୁରୁଣା ଅଟେ।

ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଏବଂ ୟୁଟ୍ୟୁବରେ ମିଳିଥିବା ଭିଡିଓ ମଧ୍ୟରେ ତୁଳନା ଦେଖି ପାରିବେ।
ଭାଇରାଲ୍ ଭିଡିଓରେ ଦେଖାଯାଇଥିବା ବାକି ଲୋକମାନେ ନିକଟରେ ଘଟିଥିବା ଦୁର୍ଘଟଣାର ନୁହନ୍ତି, ତେଣୁ ଆମେ ଅଧିକ ଅନୁସନ୍ଧାନ କରିଲୁ। ଆମକୁ ୨୦୨୧ ର ଏକ ଅଭିଯାନ ବିଷୟରେ ଡେଲିମେଲ୍ ୱେବସାଇଟରୁ ସୂଚନା ମିଳିଲା। ଏହି ମିଶନରେ ସମସ୍ତ ମିଶନ୍ ବିଶେଷଜ୍ଞଙ୍କ ଫଟୋ ଦର୍ଶାଯାଇଛି। ଆହୁରି ମଧ୍ୟ, ରିପୋର୍ଟ ପଢିବାରୁ ଜଣା ପଡିଛି ଯେ, ଅଭିଯାନ ଦଳରେ ସିଇଓ ଷ୍ଟକଟନ୍ ରଶ, ଆରୋନ୍ ନ୍ୟୁମାନ୍, ଡେଭିଡ୍ ରୋଡ୍, ଡଗ୍ ଜ୍ୟାକ୍ସନ୍ ଏବଂ ଜଣେ ମହିଳା ବ୍ରିଜେଟ୍ ବକ୍ସଟନ୍ ସାମିଲ ଥିଲେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓ ୨୦୨୧ ମସିହାରେ ହେଇଥିବା ଏକ ମିଶନ୍ ସମୟର ଭିଡିଓ ଅଟେ। ଏହା ନିକଟରେ ଟାଇଟେନ୍ ପନଡ୍ଡୁବିର ଦୁର୍ଘଟଣା ପୂର୍ବର ଶେଷ ଭିଡିଓ ନୁହେଁ।

Title:କ’ଣ ଭାଇରାଲ ଭିଡିଓ ଟାଇଟାନିକ୍ ଦେଖିବାକୁ ଯାଇଥିବା ପନଡ୍ଡୁବିର ଶେଷ ଭିଡିଓ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading
