
ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଅଛି। ବର୍ତ୍ତମାନ ମନ୍ଦିରକୁ ସଜାଇବା ଏବଂତାହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଏହି ସମୟରେ, ରାମ ମନ୍ଦିର ସହିତ ଏହାକୁ ସଂଯୋଗ କରୁଥିବା ଅନେକ ପୋଷ୍ଟ ଭାଇରାଲ ହେଉଛି ଯାହା ନକଲି ଦାବି ସହ ସେୟାର କରାଯାଉଛି।
ଏହି ପ୍ରସଙ୍ଗରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କେତେକ ବୌଦ୍ଧ ଭିକ୍ଷୁ ଶ୍ରୀଲଙ୍କା ଏୟାରଲାଇନ୍ସରୁ ହାତରେ କିଛି ବସ୍ତୁ ଧରି ଓହ୍ଲାଉଛନ୍ତି। ସେଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନ୍ୟ ବିଜେପି ନେତାଙ୍କ ସହିତ ମଧ୍ୟ ଉପସ୍ଥିତ ଅଛନ୍ତି। ଭାଇରାଲ ହୋଇଥିବା ଏହି ଭିଡିଓ ସହିତ ଦାବି କରାଯାଇଛି ଯେ ଅଶୋକ ବାଟିକାର ଯେଉଁ ପଥର ଉପରେ ମାତା ସୀତା ବସିଥିଲେ ତାହାକୁ ଶ୍ରୀଲଙ୍କା ସରକାର ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନା କରିବା ପାଇଁ ଭାରତ ପଠାଇଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓରେ ଥିବା ବସ୍ତୁ ପ୍ରକୃତରେ ଭଗବାନ ବୁଦ୍ଧଙ୍କ ପବିତ୍ର ସ୍ମୃତିରୂପ ଅଟେ ଯାହାକି ୨୦୨୧ ମସିହାରେ ପ୍ରଦର୍ଶନୀ ପାଇଁ ଶ୍ରୀଲଙ୍କାରୁ ଅଣାଯାଇଥିଲା।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି, “ଲଙ୍କାର ଅଶୋକ ବାଟିକା ରେ
ଜୋଉ ପଥର ଉପରେ ମାତା ‘ସୀତା ବସୁ ଥିଲେ, ସେଇ ପଥର କୁ ଶ୍ରୀଲଙ୍କା ସରକାର ନିଜ ଉଡ଼ାଜାହାଜ ରେ ଭାରତ ପଠେଇଲେ। ସେଇ ପଥର କୁ ଅଯୋଧ୍ୟା ର ରାମ ଜନ୍ମଭୂମି ରେ ହଉଥିବା ନୂଆ ରାମ ମନ୍ଦିର ରେ ସ୍ଥାପନା କରା ଯିବ। ସେଇ ପଥର କୁ ଆଣିବା ପାଇଁ ଯୋଗୀ ଆଦିତ୍ୟନାଥ ମହୋଦୟ ନିଜେ ଏୟାରପୋର୍ଟ ପହଂଚିଲେ“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ଏକ ଟୁଇଟ ମିଳିଲା। ୨୦ ଅକ୍ଟୋବର ୨୦୨୧ ର ଏହି ଟୁଇଟରୁ ଆମେ ଜାଣିବାକୁ ପାଇଲୁ ଯେ ଶ୍ରୀଲଙ୍କା ରୁ ବୌଦ୍ଧ ବିକ୍ଷୁ ଏବଂ ସେଠିକାର ସରକାରର ପ୍ରତିନିଧିତ୍ଵଙ୍କ ସହିତ ଶ୍ରୀଲଙ୍କାର ଏକ ବିମାନ କୁଶୀନଗର ବିମାନ ବନ୍ଦରରେ ଅବତରଣ କରିଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ବିଜେପି ନେତା ସେମାନଙ୍କ ସ୍ଵାଗତ କରିଥିଲେ। ଏହି ଟୁଇଟରେ ଆମକୁ ଭାଇରାଲ ଭିଡିଓର ଅନେକ ଫୋଟୋ ଦେଖିବାକୁ ମିଳିଲା।
ଏହା ପରେ ଆମେ ବିଜେପି ନେତା କିରେନ ରିଜିଜୁଙ୍କର ଏକ ଟୁଇଟ୍ ପାଇଲୁ। ଏହା ଅନୁଯାୟୀ ଅଶ୍ୱିନ ପୂର୍ଣ୍ଣିମା ଏବଂ ଅଭିଧାମ ଦିବସ ଅବସରରେ ଉତ୍ତରପ୍ରଦେଶର କୁଶୀନଗରରେ ପହଞ୍ଚିବା ପରେ ଶ୍ରୀଲଙ୍କାରୁ ଆସିଥିବା ପବିତ୍ର ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା। ଯେଉଁଥିରେ ଶ୍ରୀଲଙ୍କା ଏବଂ ବିଶ୍ଵର ବୌଦ୍ଧ ଭିକ୍ଷୁମାନଙ୍କୁ ମଧ୍ୟ ସ୍ୱାଗତ କରାଯାଇଥିଲା। ଏଠାରେ ମଧ୍ୟ ଆମେ ଭାଇରାଲ୍ ଭିଡିଓ ସହିତ ଅଂଶୀଦାର ହୋଇଥିବା ଅନେକ ଫୋଟୋ ଦେଖିଲୁ।
୧୮ ଅକ୍ଟୋବର ୨୦୨୧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର କୁଶୀନଗରରେ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିଥିଲେ। ପ୍ରାଚୀନ ସହର କୁଶୀନଗରରେ ହିଁ ଗୌତମ ବୁଦ୍ଧଙ୍କର ଦେହାନ୍ତ ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ନିଜର ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ଏହି ବିମାନ ବନ୍ଦର ବୌଦ୍ଧମାନଙ୍କର ତୀର୍ଥଯାତ୍ରାକୁ ବଢାଇବ। “କୁଶୀନଗର ଅନ୍ତର୍ଜାତୀୟ ବିମାନବନ୍ଦର ହେଉଛି ଦଶନ୍ଧିର ଅଭିଳାଷ ଏବଂ ପ୍ରୟାସର ଫଳାଫଳ। ମୋର ଖୁସି ଆଜି ଦ୍ୱିଗୁଣିତ ହୋଇଛି। ପୁରଭାଞ୍ଚଲ ଲୋକଙ୍କ ପ୍ରତି ଆମର ପ୍ରତିବଦ୍ଧତା ପୂରଣ କରିବାର ବର୍ତ୍ତମାନ ମୁହୂର୍ତ୍ତ। କୁଶୀନାଗର ଅନ୍ତର୍ଜାତୀୟ ବିମାନବନ୍ଦର କେବଳ ଏୟାର ଲିଙ୍କ ଭାବରେ କାର୍ଯ୍ୟ କରିବ ନାହିଁ ବରଂ ଏହା ସ୍ଥାନୀୟ ଯୁବକମାନଙ୍କ ପାଇଁ ବ୍ୟବସାୟ ଏବଂ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।” ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ଆପଣ ଏଠାରେ ଅଧିକ ସୂଚନା ପଢିପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓରେ ଥିବା ବସ୍ତୁ ପ୍ରକୃତରେ ଭଗବାନ ବୁଦ୍ଧଙ୍କ ପବିତ୍ର ସ୍ମୃତିରୂପ ଅଟେ ଯାହାକି ୨୦୨୧ ମସିହାରେ ପ୍ରଦର୍ଶନୀ ପାଇଁ ଶ୍ରୀଲଙ୍କାରୁ ଅଣାଯାଇଥିଲା। ଏହାର ଅଯୋଧ୍ୟା ରାମ ମନ୍ଦିର ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଅଶୋକ ବାଟିକାର ଯେଉଁ ପଥର ଉପରେ ମାତା ସୀତା ବସିଥିଲେ ତାହାକୁ ଶ୍ରୀଲଙ୍କା ସରକାର ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନା କରିବା ପାଇଁ ଭାରତ ପଠାଇଛି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False
