
ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ୧୩ ବର୍ଷୀୟ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ପରେ, ୩୨ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୪ ଜଣଙ୍କୁ ଗିରଫ କରାଯାଇଛି। ଏହି ପ୍ରସଙ୍ଗରେ, ପୋଲିସ ହେପାଜତରେ ଥିବା ଅନେକ ଲୋକଙ୍କୁ ଭିଡ଼ ସାମ୍ନାରେ ପରେଡ୍ କରାଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓଟିକୁ ସେୟାର କରି ୟୁଜର୍ସମାନେ ଦାବି କରିଛନ୍ତି ଯେ ଭିଡିଓଟି ଶ୍ରୀଗଙ୍ଗାନଗର ବଳାତ୍କାର ମାମଲାର ଅଭିଯୁକ୍ତଙ୍କୁ ଦେଖାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ଗୁଜରାଟର ଏକ ପୁରୁଣା ଭିଡିଓ। ପାଟନ ନାମକ ଜିଲ୍ଲାରେ କିଛି ଲୋକ ପୋଲିସ ଗାଡ଼ି ଉପରେ ଆକ୍ରମଣ କରିଥିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଧରିଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭାଇରାଲ କ୍ଲିପ୍ ର ଏକ ଫୋଟୋ ୧୮ ମାର୍ଚ୍ଚ ୨୦୨୬ ରେ ଜି ନ୍ୟୁଜ୍ ଗୁଜରାଟୀରେ ପ୍ରକାଶିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ, ପୋଲିସ ସୁରକ୍ଷା ମଧ୍ୟରେ, ରବିବାର ମଧ୍ୟରାତ୍ରିରେ ଅସ୍ତ୍ରଶସ୍ତ୍ର ଧରି ୧୫ ରୁ ୨୦ ଜଣଙ୍କ ଏକ ଦଳ ପାଟନ ଜିଲ୍ଲାର ଚାନ୍ସମା ତାଲୁକାର ଜିଲିଆ ଗାଁରେ ଥିବା ଭବେଶ ଦେଶାଇଙ୍କ ଫାର୍ମହାଉସ ଉପରେ ଆକ୍ରମଣ କରି ପଥର ମାଡ଼ କରିଥିଲେ। ଏହି ଆକ୍ରମଣରେ ସୁରକ୍ଷା ପାଇଁ ଆସିଥିବା ଚାନ୍ସମା ପୋଲିସର ବୋଲେରୋ କାର ଏବଂ ୧୧୨ ଭ୍ୟାନର କାଚ ଭାଙ୍ଗି ଦିଆଯାଇଥିଲା। ଆକ୍ରମଣକାରୀଙ୍କ ଆତଙ୍କ ଦେଖି ପୋଲିସ ଗାଡ଼ି ଅଧିକ ପୋଲିସ ଫୋର୍ସ ଆଣିବା ପାଇଁ ଚାନ୍ସମା ଫେରି ଆସିଥିଲା। ଏହି ସମୟରେ, ଆକ୍ରମଣକାରୀମାନେ ଫାର୍ମହାଉସର ଗେଟ୍ ଭଙ୍ଗାରୁଜା କରିଥିଲେ। ଘଟଣା ପରେ, ପୃଥକ ଦଳ ଗଠନ କରାଯାଇଥିଲା ଏବଂ ପ୍ରାୟ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା, ଏବଂ ସେମାନଙ୍କୁ ଶୋଭାଯାତ୍ରାରେ ବାହାର କରାଯାଇଥିଲା।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ଟୁଇଟରରେ ସମାନ ଭିଡିଓ ପୋଷ୍ଟ ହେଇଥିବା ମିଳିଲା ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ।
୧୯ ମାର୍ଚ୍ଚ, ୨୦୨୬ ରେ ଗୁଜରାଟୀ ଜାଗରଣରେ ସମାନ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା, ଯେଉଁଥିରେ ଭାଇରାଲ ଭିଡିଓର ସ୍କ୍ରିନସଟ୍ ସହିତ ସମାନ ଏକ ଫୋଟୋ ଥିଲା। ରିପୋର୍ଟ ଅନୁଯାୟୀ, ପାଟନର ଚାନ୍ସମାର ଜିଲିଆ ଗାଁରେ, ଏକ ଫାର୍ମହାଉସରେ ପାର୍କିଂ ହୋଇଥିବା ଏକ ପୋଲିସ କନଭୟ ଭ୍ୟାନ୍ ଉପରେ ଏକ ଭିଡ଼ ଆକ୍ରମଣ କରିଥିଲା। ଏହା ପରେ, ପୋଲିସକୁ ପଳାଇବାକୁ ପଡିଲା। ଏହା ପାଟନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲା। କିନ୍ତୁ, କିଛି ଘଣ୍ଟା ମଧ୍ୟରେ, ପାଟନ ପୋଲିସ ୧୮ ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଇଛି। ଏହା ଗୁଜରାଟର ଏକ ପୁରୁଣା ଭିଡିଓ। ପାଟନ ନାମକ ଜିଲ୍ଲାରେ କିଛି ଲୋକ ପୋଲିସ ଗାଡ଼ି ଉପରେ ଆକ୍ରମଣ କରିଥିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଧରିଛି।

