କ’ଣ ଭାଇରାଲ ଫୋଟୋ ମରକ୍କୋରେ ଘଟିବା ଭୟଙ୍କର ଭୂମିକମ୍ପର ଗୋଟିଏ ଦୃଶ୍ୟ? ଜାଣନ୍ତୁ ସତ୍ୟ।
ନିକଟରେ ମରକ୍କୋ ଦେଶ ଗୋଟିଏ ଭୟଙ୍କର ଭୂମିକମ୍ପର ସାମନା କରିଛି। ଏହି ଭୂମିକମ୍ପରେ ୨୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ବାହାନ ଓ ଘର ଗୁଡିକ କ୍ଷତିଗ୍ରସ୍ତ ହୋଇଛି। ଏହା ମରକ୍କୋରେ ଆସିଥିବା ସବୁଠାରୁ ବିଶାଳ ଭୂମିକମ୍ପ ବୋଲି କୁହା ଯାଉଛି।
ସୋସିଆଲ ମିଡିଆରେ ଏହା ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ କିଛି ବାହାନ ଭଙ୍ଗା ଅବସ୍ଥାରେ ଓଲଟି ପଡିଥିବା ଦେଖିବାକୁ ମିଳୁଛି। ଦାବି କରା ଯାଉଛି ଯେ ଏହି ଫୋଟୋ ମରକ୍କୋ ଦେଶରେ ଭୂମିକମ୍ପ ହେବା ପର ଦୃଶ୍ୟ ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ମରକ୍କୋର ନୁହେଁ। ଏହା ଲିବ୍ୟା ଦେଶରେ ହେଇଥିବା ଗୋଟିଏ ବନ୍ୟା ପର ଦୃଶ୍ୟ ଅଟେ।
କ’ଣ ଦାବି କରା ଯାଉଛି ପୋଷ୍ଟରେ?
ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରି କହୁଛନତି, “ମରକ୍କୋ ଭୂମିକମ୍ପ ମୃତ୍ୟୁ ସଂଖ୍ୟା ୨୮୦୦କୁ ବୃଦ୍ଧି। ଶୁକ୍ରବାର ଆଫ୍ରିକୀୟ ଦେଶ ମରକ୍କୋରେ ହୋଇଥିଲା ଭୂମିକମ୍ପ। ୬.୮ ତୀବ୍ରତାର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୨୮୦୦କୁ ବୃଦ୍ଧି। ଏବେ ବି ଧ୍ବଂସସ୍ତୁପରୁ ଜାରି ରହିଛି ଉଦ୍ଧାରକାର୍ଯ୍ୟ”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୧୨ ସେପ୍ଟେମ୍ବର ୨୦୨୩ ରେ ଗୋଟିଏ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହି ଫୋଟୋ ଲିବ୍ୟା ଦେଶର ଡେର୍ନା ସହରର ଅଟେ। ଡ଼େନିଏଲ୍ ନାମକ ଏକ ବିଶାଳ ବାତ୍ୟା କାରଣରୁ ଏହି ସ୍ଥାନରେ ଭୟଙ୍କର ବନ୍ୟା ଆସିଥିଲା। ଏହି ବନ୍ୟା ୧୧ ସେପ୍ଟେମ୍ବର ଦିନ ଘଟିଥିଲା। ବାତ୍ୟାରେ ପ୍ରାୟ ୨୦୦୦ ରୁ ଉର୍ଦ୍ଧ ଲୋକ ନିଜ ପ୍ରାଣ ହରାଇଛନ୍ତି ଏବଂ ହଜାର ସଂଖ୍ୟାରେ ଲୋକ ନିଖୋଜ ଅଛନ୍ତି। ଏହି ଖ୍ଯାତି ପାଇଁ ଦେଶବ୍ୟାପୀ ୩ ଦିନ ଶୋକ ପାଳନ କରା ଯାଉଛି
ଦି ନ୍ୟୁ ଆରବ ୱେବସାଇଟରେ ମଧ୍ୟ ସମାନ ଫୋଟୋ୧୨ ସେପ୍ଟେମ୍ବର ଦିନ ପ୍ରକାଶିତ ହେଇଛି। ରିପୋର୍ଟ ଅନୁଯାୟୀ, ଡ଼େନିଏଲ୍ ବାତ୍ୟା ପରେ ପୂର୍ବ ଲିବ୍ୟାରେ ଏକ ବିଶାଳ ବନ୍ୟା ଆସିଥିଲା ଯେଉଁଥିରେ ୩୦୦୦ ରୁ ଉର୍ଦ୍ଧ ଲୋକଙ୍କ ମୃତ୍ୟୁ ଏବଂ ୧୦୦୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଲିବିଆର କିଛି ବିଶ୍ଳେଷକ କହିଛନ୍ତି ଯେ ବାତ୍ୟା ପୂର୍ବରୁ ଡେର୍ନା ସହର ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ସରକାର ଆବେଦନ କରିଥିଲେ କିନ୍ତୁ ତାହାକୁ ପ୍ରତ୍ୟାଖ୍ୟାନ କରା ଯାଇଥିଲା। ସେଠିକାର ସେନା ଲୋକଙ୍କୁ ସ୍ଥାନାନ୍ତର ନକରି ତାଙ୍କୁ ନିଜ ଘରୁ ନ ବାହାରିବାର ଆଦେଶ ଦେଇଥିଲା।
ନିମ୍ନରେ ଆପଣ ମାନେ ଏହି ଘଟନା ଜଡିତ ଗୋଟିଏ ନ୍ଯୁଜ ଭିଡିଓ ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ଭ୍ରମାତ୍ମକ ଅଟେ। ଭାଇରାଲ ଫୋଟୋ ନିକଟରେ ଲିବ୍ୟାରେ ଆସିଥିବା ବନ୍ୟାର ଏକ ଦୃଶ୍ୟ ଅଟେ ଯାହାକୁ ମରୋକ୍କୋର ଭୂମିକମ୍ପ ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।
Title:କ’ଣ ଭାଇରାଲ ଫୋଟୋ ମରକ୍କୋରେ ଘଟିବା ଭୟଙ୍କର ଭୂମିକମ୍ପର ଗୋଟିଏ ଦୃଶ୍ୟ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading