
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଶର ଲୋକଙ୍କ ମଧ୍ୟରେ କ୍ରୋଧ ଦେଖିବାକୁ ମିଳୁଛି। ଏହି ଆକ୍ରମଣର ବ୍ୟାପକ ନିନ୍ଦା କରାଯାଉଛି ଏବଂ ପାକିସ୍ତାନକୁ ଉଚିତ୍ ଶିକ୍ଷା ଦେବା ପାଇଁ ଦୃଢ଼ ଦାବି କରାଯାଉଛି। ଏହି ସମୟରେ, ସମସ୍ତ ରାଜନୈତିକ ଦଳ ଏବଂ ନେତାମାନେ ବୟାନ ଦେବା ଆରମ୍ଭ କରିଛନ୍ତି।
ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ଜଣେ ସାମ୍ବାଦିକଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାର ରେ ସେ କହୁଛନ୍ତି, “ପାକିସ୍ତାନ ଚୁଡ଼ି ପିନ୍ଧେ ନାହିଁ ଏବଂ ସେମାନଙ୍କ ପାଖରେ ପରମାଣୁ ବୋମା ମଧ୍ୟ ଅଛି।” ୟୁଜର ମାନେ ଏହି ଭିଡିଓକୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ସହିତ ଯୋଡି ସେୟାର କରୁଛନ୍ତି ଏବଂ ଦାବି କରୁଛନ୍ତି ଯେ ଏହା ଏକ ସାମ୍ପ୍ରତିକ ବୟାନ ଯେଉଁଥିରେ ଅବଦୁଲ୍ଲା ଏହା କହି ପାକିସ୍ତାନ ପ୍ରତି ତାଙ୍କର ପ୍ରେମ ପ୍ରଦର୍ଶନ କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭିଡିଓଟି କୁ ବିନା ସଠିକ୍ ପ୍ରସଙ୍ଗ ସହିତ ସେୟାର କରା ଯାଉଛି। ଏହା ଫାରୁକ ଅବଦୁଲ୍ଲାଙ୍କ ପୁରୁଣା ବୟାନ ଯାହାକୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସହିତ ଯୋଡ଼ି ଭାଇରାଲ କରାଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଫାରୁଖ୍ ଅବ୍ଦୁଲ୍ଲା କହୁଛି ପାକିସ୍ତାନ ଚୁଡ଼ି ପିନ୍ଧି ନାହିଁ… ତା ଉପରେ ଆକ୍ରମଣ କଲେ ସେମାନଙ୍କ ପାଖରେ ମଧ୍ୟ ପରମାଣୁ ବମ୍ ଅଛି, ସେ କେବଳ ଭାରତ ପାଇଁ… ଏମାନେ ହେଉଛନ୍ତି ପାକିସ୍ତାନ ର ଦଲାଲ୍…”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ୨୦୨୪ ର ଏକ ଗଣମାଧ୍ୟମ ରିପୋର୍ଟରେ ମିଳିଲା ଯେଉଁଥିରୁ ସ୍ପଷ୍ଟ ହେଲା ଯେ ଭାଇରାଲ ଭିଡିଓ ସାମ୍ପ୍ରତିକ ନୁହେଁ। ଫାରୁକ ଅବଦୁଲ୍ଲାଙ୍କ ଏହି ବକ୍ତବ୍ୟ ୬ ମଇ ୨୦୨୪ ରେ ପ୍ରକାଶିତ ଏନଡ଼ିଟିଭି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମନ୍ତବ୍ୟ “ଭାରତକୁ ବଳପୂର୍ବକ PoK ଦଖଲ କରିବାକୁ ପଡ଼ିବ ନାହିଁ କାରଣ ସେଠାକାର ଲୋକମାନେ ନିଜେ ଭାରତର ଏକ ଅଂଶ ହେବାକୁ ଚାହାଁନ୍ତି” ଉପରେ ପ୍ରତିକ୍ରିୟା ଦେଇ ଜମ୍ମୁ-କାଶ୍ମୀର ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା କହିଥିଲେ ଯେ “ପାକିସ୍ତାନ ଚୁଡ଼ି ପିନ୍ଧି ନାହିଁ ଏବଂ ତାହା ପାଖରେ ପରମାଣୁ ବୋମା ମଧ୍ୟ ଅଛି ଯାହା ଆମ ଉପରେ ପଡ଼ିବ।” ଆମେ ଦେଖିଲୁ ଯେ ଫାରୁକ ଅବଦୁଲ୍ଲାଙ୍କ ଏହି ବକ୍ତବ୍ୟକୁ ରିପୋର୍ଟର ଶୀର୍ଷକରେ ବିବାଦୀୟ ବୋଲି ବର୍ଣ୍ଣନା କରାଯାଇଥିଲା। ଏହି ରିପୋର୍ଟରେ ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି, ଯେଉଁଥିରେ ରାଜନାଥ ସିଂହଙ୍କ ପିଓକେର ଭାରତ ସହିତ ମିଶ୍ରଣ ବିଷୟରେ ବକ୍ତବ୍ୟ ଏବଂ ଫାରୁକ ଅବଦୁଲ୍ଲାଙ୍କ ବୟାନ ଯେ ପାକିସ୍ତାନ ଚୁଡ଼ି ପିନ୍ଧୁନାହିଁ ତାହା ଦେଖାଯାଇଛି।
ଏହି ଘଟଣା ଜଡ଼ିତ ଅନ୍ୟ କିଛି ରିପୋର୍ଟ ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ଦେଖି ପାରିବେ।
ଅଧିକ ତଦନ୍ତ ପରେ, ଆମେ ଆଜ୍ ତକର ୟୁଟ୍ୟୁବ୍ ଚ୍ୟାନେଲରେ ୬ ମଇ ୨୦୨୪ ରେ ଅପଲୋଡ୍ ହୋଇଥିବା ସମାନ ଭିଡିଓ ପାଇଲୁ, ଯାହାର କ୍ୟାପସନରେ ଲେଖା ହେଇଛି, “ପାକିସ୍ତାନ ଚୁଡ଼ି ପିନ୍ଧିନାହିଁ – ଫାରୁକ ଅବଦୁଲ୍ଲା।“
ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଫାରୁକ ଅବଦୁଲ୍ଲାଙ୍କ ପୁରୁଣା ଭିଡିଓ ସେୟାର କରାଯାଉଥିବା ସ୍ପଷ୍ଟ ହେବା ପରେ, ଆମେ ତାଙ୍କ ବୟାନ ଏବଂ ସାକ୍ଷାତକାର ମଧ୍ୟ ଖୋଜିଥିଲୁ ଯେଉଁଥିରେ ସେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ବୟାନ ଦେଇଥିଲେ। ଏହି ସମୟ ମଧ୍ୟରେ, ଆମେ ଆଜ୍ ତକର ୟୁଟ୍ୟୁବରେ ଏକ ସାକ୍ଷାତକାର ଭିଡିଓ ପାଇଲୁ, ଯେଉଁଥିରେ ଫାରୁକ ଅବଦୁଲ୍ଲା ପହଲଗାମ ଆତଙ୍କବାଦୀ ଆକ୍ରମଣ ବିଷୟରେ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ଭାବପ୍ରବଣ ହୋଇଯାଉଥିବା ଦେଖାଯାଇଥିଲା।
ଏହା ସହିତ, ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଆମେ ପାଇଥିବା ନବଭାରତ ଟାଇମ୍ସ ରିପୋର୍ଟ ଅନୁସାରେ, ଜମ୍ମୁ ଏବଂ କାଶ୍ମୀର ନ୍ୟାସନାଲ କନଫରେନ୍ସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏହି ଆକ୍ରମଣକୁ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି ଏବଂ ପାକିସ୍ତାନ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଫାରୁକ ଅବଦୁଳ୍ଳାଙ୍କର ଏକ ପୁରୁଣା ବୟାନକୁ ବିନା ସଠିକ୍ ପ୍ରସଙ୍ଗ ସହିତ ଏପରି ସେୟାର କର ଯାଉଛି ଯେପରି କି ସେ ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପାକିସ୍ତାନ ଚୂଡ଼ି ପିନ୍ଧି ନାହିଁ ବୋଲି କହିଛନ୍ତି।

Title:ପାକିସ୍ତାନ ଚୁଡ଼ି ପିନ୍ଧିନାହିଁ ବୋଲି ଫାରୁକ ଅବଦୁଲ୍ଲାଙ୍କ ପୁରୁଣା ବୟାନକୁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସହିତ ଯୋଡ଼ି ଭାଇରାଲ କରାଯାଉଛି
Fact Check By: Siddharth SahuResult: Missing Context
