
ପହଲଗାମ ନିକଟସ୍ଥ ଘଟିଥିବା ଏକ ଆତଙ୍କବାଦୀ ଆକ୍ରମଣରେ ଆତଙ୍କବାଦୀମାନେ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ଧର୍ମ ଆଧାରରେ ଟାର୍ଗେଟ କରିଥିଲେ, ଯାହା ଫଳରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାର ଜବାବରେ, ଭାରତ ୬ ମଇ ୨୦୨୫ ରେ “ଅପରେସନ ସିନ୍ଦୂର” ଆରମ୍ଭ କରିଥିଲା। ପାକିସ୍ତାନ ଏବଂ POK ର ୯ ଟି ସ୍ଥାନରେ ଆକ୍ରମଣ କରିଥିଲା। ପାକିସ୍ତାନ ଦାବି କରିଥିଲା ଯେ ସେମାନେ ପାଞ୍ଚଟି ଭାରତୀୟ ବାୟୁସେନା ବିମାନକୁ ଖସାଇ ଦେଇଛନ୍ତି।
ଏହି ପ୍ରସଙ୍ଗରେ ଏକ ଯୁଦ୍ଧ ବିମାନ ଦୁର୍ଘଟଣାର ଭିଡିଓ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି ଯେ ଲୋକମାନେ ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି। ୟୁଜରମାନେ ଦାବି କରୁଛନ୍ତି ଯେ ଏହା ଏକ ପାକିସ୍ତାନ ବାୟୁସେନାର ଯୁଦ୍ଧ ବିମାନ JF-17 ଯାହାକୁ ଭାରତୀୟ ବାୟୁସେନା ଅପରେସନ୍ ସିନ୍ଦୁର ସମୟରେ ଆକ୍ରମଣ କରି ଖସାଇ ଦେଇଥିଲା।
କିନ୍ତୁ, ଫ୍ୟାକ୍ଟ କ୍ରେସେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ପାକିସ୍ତାନର ଏକ ପୁରୁଣା ଘଟଣା ଯେଉଁଠାରେ ପଞ୍ଜାବ ପ୍ପ୍ରାନ୍ଥରେ ଏକ ତାଲିମ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ପାପୀସ୍ଥାନର JF-17 ଏବେ ମାଟି ଚୁମୁଛି”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୧୫ ଏପ୍ରିଲ୍ ୨୦୨୫ ରେ ନେପାଲ କରେସପଣ୍ଡେନ୍ସ ନାମକ ଟୁଇଟର ହେଣ୍ଡେଲରେ ଟୁଇଟ ହେଇଥିବା ମିଳିଲା। ଟ୍ୱିଟର କ୍ୟାପସନରେ ଲେଖାଯାଇଛି, “ଭେହାରୀର ବସ୍ତି ରଟ୍ଟା ଟିବ୍ବା ନିକଟରେ ପାକିସ୍ତାନ ବାୟୁସେନାର ଏକ ମିରାଜ ଭି ରୋଜ୍ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ପିଏଏଫ୍ ବେସ୍ ରଫିକିରୁ ଉଡ଼ାଣ ଭରାଇଥିଲା। ବିମାନରେ ଥିବା ଉଭୟ ପାଇଲଟ୍ ସୁରକ୍ଷିତ ଭାବରେ ବାହାରକୁ ବାହାରି ଆସିଥିଲେ।“
ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୧୬ ଏପ୍ରିଲ୍ ୨୦୨୫ ର ଇଣ୍ଡିଆ ଟିଭି ନ୍ୟୁଜ୍ ର ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ଲାହୋରରୁ ପ୍ରାୟ 350 କିଲୋମିଟର ପଞ୍ଜାବ ପ୍ରଦେଶର ଭେହାରି ଜିଲ୍ଲାର ରଟ୍ଟା ଟିବ୍ବା ନିକଟରେ ଏକ ନିୟମିତ ତାଲିମ ମିଶନ ସମୟରେ ପାକିସ୍ତାନ ବାୟୁସେନାର ଏକ ମିରାଜ V ROSE ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପୂର୍ବରୁ ଉଭୟ ପାଇଲଟ ସଫଳତାର ସହ ବାହାରକୁ ବାହାରି ଆସିଥିଲେ। ସେମାନେ ସାମାନ୍ୟ ଆଘାତ ପାଇଥିଲେ ଏବଂ ତାଙ୍କୁ ତୁରନ୍ତ ନିକଟସ୍ଥ ଏକ ସେନା ହସ୍ପିଟାଲକୁ ନିଆଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଘଟଣା ଘଟିଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଲା। ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ଏକ ଲଢ଼ୁଆ ବିମାନର ଏକ ପୁରୁଣା ଭିଡିଓକୁ ସିନ୍ଦୂର ଅପରେସନ୍ ସମୟରେ ଭାରତୀୟ ବାୟୁସେନା ଦ୍ୱାରା ଗୁଳି କରି ଖସାଇ ଦିଆଯାଇଥିବା ଘଟଣା ଭାବରେ ଭାଇରାଲ ହେଉଛି।

Title:ଅପରେସନ ସିନ୍ଦୁର ସମ୍ପର୍କରେ ପାକିସ୍ତାନରେ ଏକ ତାଲିମ ଯୁଦ୍ଧ ବିମାନ ଦୁର୍ଘଟଣାର ପୁରୁଣା ଭିଡିଓ ଭାଇରାଲ୍
Written By: Siddharth SahuResult: False
