
ପଶ୍ଚିମବଙ୍ଗର ଝାରଗ୍ରାମରେ ୨୦୨୬ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାସ୍ତା କଡ଼ରେ ଥିବା ଜଣେ ଝାଲମୁଢି ବିକ୍ରେତାଙ୍କ ପାଖରେ ଜଳଖିଆ ପାଇଁ ଅଟକିଥିଲେ। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ, “ପ୍ରଧାନମନ୍ତ୍ରୀଙ୍କୁ ଝାଲମୁଢି ପ୍ରସ୍ତୁତ କରିଥିବା ବିକ୍ରେତା ପ୍ରକୃତରେ ଜଣେ ଦୋକାନୀ ନଥିଲେ, ବରଂ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଦାୟୀ ଜଣେ SPG କମାଣ୍ଡୋ ଥିଲେ।”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ଏହା ବିଷୟରେ ସର୍ଚ୍ଚ କରିଲୁ। ଆମକୁ ସମାନ ଘଟଣା ଜଡ଼ିତ ଗଣମାଧ୍ୟମର ଅନେକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ଝାଳମୁଢି ବିକ୍ରେତା ନିଜକୁ ବିହାରର ଗୟା ନିବାସୀ ବିକ୍ରମ ସାହୁ ବୋଲି ପରିଚୟ ଦେଇଥିଲେ। ସେ କହିଛନ୍ତି ଯେ ସେ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଥିଲେ କିନ୍ତୁ ଆର୍ଥିକ ଅସୁବିଧା ଯୋଗୁଁ ପାଠ ଛାଡିବାକୁ ବାଧ୍ୟ ହୋଇଥିଲେ। ସେ ପ୍ରତିଦିନ ପ୍ରାୟ ₹୧,୦୦୦ ରୁ ₹୧,୨୦୦ ରୋଜଗାର କରନ୍ତି ଏବଂ ତାଙ୍କ ପରିବାର ପ୍ରତିପାଳନ କରନ୍ତି, ଯେଉଁଥିରେ ତାଙ୍କ ବାପାମା, ସୁନିତା ଦେବୀ ଏବଂ ଉତ୍ତମ ସାହୁ ସାମିଲ ଅଛନ୍ତି।
ପ୍ରାପ୍ତ ସୂଚନା ଆଧାରରେ, ଅଧିକ ତଦନ୍ତ କରି ଆମେ ‘ANI’ର ଏକ ରିପୋର୍ଟ ପାଇଲୁ। ରିପୋର୍ଟ ଅନୁଯାୟୀ, ଝାରଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ଏକ ଦୋକାନରେ ଅଟକି ସେଠାରେ ଝାଲମୁଢି ଉପଭୋଗ କରିଥିଲେ। ଝାଲମୁଢି ବିକ୍ରେତାଙ୍କ ନାମ ବିକ୍ରମ ସାହୁ, ଯିଏ ବିହାରର ମୂଳ ବାସିନ୍ଦା। ସେ ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ିଛନ୍ତି ଏବଂ ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ବିଷୟରେ ମୋର ପୂର୍ବରୁ କୌଣସି ସୂଚନା ନଥିଲା।”
IANS ର ଟୁଇଟରୁ ଆମେ ଏକ ଭିଡିଓ ପାଇଲୁ ଯେଉଁଥିରେ ଦୋକାନୀ ତାଙ୍କ ନାମ, ପାରିବାରିକ ପୃଷ୍ଠଭୂମି ଏବଂ ପ୍ରଧାନମନ୍ତ୍ରୀଙ୍କ ଦୋକାନ ଗସ୍ତର ଅଭିଜ୍ଞତା ସେୟାର କରିଛନ୍ତି।
ଝାଲମୁଢି ବିକ୍ରେତା ଜଣେ SPG ଅଧିକାରୀ ବୋଲି ଦାବି ଯାଞ୍ଚ କରିବା ପାଇଁ, ଆମେ ଭିଡିଓରେ ଦେଖାଯାଇଥିବା ଦୋକାନ ନମ୍ବରକୁ ଫୋନ୍ କଲୁ। ନମ୍ବରଟି ବିକ୍ରମ ସାହୁଙ୍କର ଥିଲା। ସେ ନିଶ୍ଚିତ କଲେ ଯେ ସେ ପ୍ରକୃତରେ ସେହି ବ୍ୟକ୍ତି ଯିଏ ଏପ୍ରିଲ ୧୯ ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହୋଇଥିଲେ। “ମୁଁ ଚାରି ବର୍ଷରୁ ଅଧିକ ସମୟ ଧରି ଏଠାରେ ଏହି ଦୋକାନ ଚଳାଉଛି। ମୁଁ କେବେ ସଶସ୍ତ୍ର ବାହିନୀରେ କିମ୍ବା ସେହିପରି କିଛି କାମ କରିନାହିଁ।” ଦୋକାନୀ ଆହୁରି ମଧ୍ୟ କହିଛନ୍ତି, “ମୁଁ ବିହାରର ଗୟାରୁ ଆସିଛି ଏବଂ ବର୍ତ୍ତମାନ ଭାଇରାଲ ହେଉଥିବା ଦାବି ମିଥ୍ୟା।”
ନଇଁରେ ଆପଣ ମାନେ ଦୋକାନୀ ଏବଂ SPG କମାଣ୍ଡୋଙ୍କ ଫଟୋ ତୁଳନା ଦେଖି ପାରିବେ।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଇଛି। ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ସମୟରେ ମୋଦିଙ୍କୁ ଝାଲମୁଢି ବିକ୍ରି କରିଥିବା ବ୍ୟକ୍ତି ଜଣେ SPG କମାଣ୍ଡୋ ହେଇଥିବା ଦାବି ମିଥ୍ୟା ଅଟେ।

