
୨୦୨୪ ନିର୍ବାଚନ ପାଖେଇ ଆସିଥିବା ସମୟରେ ସୋସିଆଲ ମିଡିଆରେ ଏହା ଜଡ଼ିତ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଭାରତର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରିଙ୍କର ନାମରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ନିତିନ ଗଡକରି ଭାରତର ଗଣତନ୍ତ୍ର ପାଇଁ କଂଗ୍ରେସ ଆବଶ୍ୟକ ବୋଲି କହିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଦାବିକୁ ଅସମ୍ପୂର୍ଣ୍ଣ ପ୍ରସଙ୍ଗ ସହିତ ଭାଇରାଲ କରା ଯାଉଛି। ନିତିନ ଗଡକରି କହିଥିଲେ ଯେ ଗଣତନ୍ତ୍ର ପାଇଁ କଂଗ୍ରେସ ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବରେ ଗଢିବା ଆବଶ୍ୟକ।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଦାବି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୭ ଏପ୍ରିଲ ୨୦୨୨ ରେ ଡେକାନ୍ କ୍ରୋନିକାଲ୍ସ ୱେବସାଇଟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ନିତିନ ଗଡକରି କହିଥିଲେ ଯେ ଗଣତନ୍ତ୍ର ପାଇଁ ଏକ ଶକ୍ତିଶାଳୀ କଂଗ୍ରେସ ପାର୍ଟି ଆବଶ୍ୟକ, ଯାହା ଆଞ୍ଚଳିକ ଦଳଗୁଡ଼ିକୁ ବିରୋଧୀ ସ୍ଥାନ ଦଖଲ କରିବାରେ ରୋକିବ। ସେ କହିଥିଲେ, “ମୁଁ ଆନ୍ତରିକତାର ସହ ଇଚ୍ଛା କରୁଛି ଯେ କ୍ରମିକ ନିର୍ବାଚନରେ ହାର ର ସାମନା ହୋଇଥିବା କଂଗ୍ରେସ ଅଧିକ ଶକ୍ତିଶାଳୀ ହେବ ଏବଂ ଏହାର ନେତାମାନେ ନିରାଶାରେ ପକ୍ଷ ପରିବର୍ତ୍ତନ କରିବେ ନାହିଁ।”
ସେ ଏହା ମଧ୍ୟ କହିଥିଲେ, “ଗଣତନ୍ତ୍ର ଦୁଇଟି ଚକ ଉପରେ ଚାଲିଥାଏ – ଶାସକ ଦଳ ଏବଂ ବିରୋଧୀ। ଗଣତନ୍ତ୍ର ପାଇଁ ଏକ ଶକ୍ତିଶାଳୀ ବିରୋଧୀ ଆବଶ୍ୟକ | ତେଣୁ କଂଗ୍ରେସ ଦଳ ଅଧିକ ଶକ୍ତିଶାଳୀ ହେବା ମୋର ଆନ୍ତରିକ ଇଚ୍ଛା। ଏଥିସହ କଂଗ୍ରେସ ଦୁର୍ବଳ ହେବା ସହିତ ଏହାର ସ୍ଥାନ ଆଞ୍ଚଳିକ ଦଳ ଗ୍ରହଣ କରୁଛି, ଯାହା ଗଣତନ୍ତ୍ର ପାଇଁ ଭଲ ନୁହେଁ। ତେଣୁ ବିରୋଧୀ ଶକ୍ତିଶାଳୀ ହେବା ଉଚିତ୍“

୨୮ ମାର୍ଚ୍ଚ ୨୦୨୨ ରେ କନକ ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିଲା। ରିପୋର୍ଟ ଅନୁଯାୟୀ, ପୁଣେ ରେ ଏକ କାର୍ଯ୍ଯକ୍ରମରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରି କହିଛନ୍ତି ଯେ ଗଣତନ୍ତ୍ର ଦୁଇଟି ଧାରରେ ଚାଲେ- ଗୋଟିଏ ଶାସକ ଦଳ ଏବଂ ଅନ୍ୟଟି ବିରୋଧୀ ଦଳ। ବିରୋଧୀ ଆସନରେ ଥିବା କଂଗ୍ରେସ ଦୁର୍ବଳ ହେଇ ଯାଇଛି ଯାହା ଫଳରେ ଅନ୍ୟ ରାଜନୈତିକ ଦଳ ତାହାର ସ୍ଥାନ ନେଉଛନ୍ତି। ଗଡକରି ପରାମର୍ଶ ଦେଇଛନ୍ତି ଯେ ଯେଉଁ ମାନେ କଂଗ୍ରେସ ରେ ଅଛନ୍ତି ସେମାନେ ଦଳ ନଛାଡି କଂଗ୍ରେସକୁ ସୁଦୃଢ କରନ୍ତୁ।
ଉପରୋକ୍ତ ତଥ୍ୟ ଦ୍ଵାରା ପ୍ରମାଣିତ ହେଲା ଯେ ନିତିନ ଗଡକରିଙ୍କର ଭାଷଣର ଏକ ଛୋଟ ଅଂଶର ଖବରକୁ ନେଇ ବିଭ୍ରାନ୍ତକାରୀ ପୋଷ୍ଟ ସୃଷ୍ଟି କରା ଯାଇଛି। ଯଦିଓ ନିତିନ ଗଡକରି କହିଥିଲେ ଯେ କଂଗ୍ରେସ ଗଣତନ୍ତ୍ର ପାଇଁ ଆବଶ୍ୟକ କିନ୍ତୁ ଏହା ସମ୍ପୁର୍ଣ୍ଣ ଖବର ନୁହେଁ। ନିତିନ ଗଡକରି କଂଗ୍ରେସକୁ ଏକ ବିରୋଧୀ ଦଳ ଭାବରେ ଗଣତନ୍ତ୍ର ପାଇଁ ଆବଶ୍ୟକ ବୋଲି କହିଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଯଦିଓ ନିତିନ ଗଡକରି କହିଥିଲେ ଯେ କଂଗ୍ରେସ ଗଣତନ୍ତ୍ର ପାଇଁ ଆବଶ୍ୟକ କିନ୍ତୁ ଏହା ସମ୍ପୁର୍ଣ୍ଣ ଖବର ନୁହେଁ। ନିତିନ ଗଡକରି କଂଗ୍ରେସକୁ ଏକ ବିରୋଧୀ ଦଳ ଭାବରେ ଗଣତନ୍ତ୍ର ପାଇଁ ଆବଶ୍ୟକ ବୋଲି କହିଥିଲେ।

Title:କ’ଣ ନିତିନ ଗଡକରି ପ୍ରକୃତରେ କହିଛନ୍ତି ଯେ ଗଣତନ୍ତ୍ର ପାଇଁ କଂଗ୍ରେସ ଆବଶ୍ୟକ? ଜାଣନ୍ତୁ ସତ୍ୟତା।
Fact Check By: Siddharth SahuResult: Missing Context
