ବିହାରର ପୁରୁଣା ଭିଡିଓକୁ ଦିଲ୍ଲୀରେ ସିଜେପି ପ୍ରଦର୍ଶଙ୍କାରି ମାନେ ହାଇଡ୍ରୋଜେନ୍ ଟ୍ରେନ୍ ଉପରେ ପଥର ଫିଙ୍ଗୁଥିବା ଦାବି ସହିତ ସେୟାର କରାଯାଇଛି।

Misleading Political

କୋକ୍ରୋଚ୍ ଜନତା ପାର୍ଟି ର ‘ସଂସଦ ଚଲୋ’ ପଦଯାତ୍ରା ୨୦ ଜୁଲାଇ ୨୦୨୬ ରେ ହୋଇଥିଲା, ଯାହା ଫଳରେ ଦିଲ୍ଲୀରେ ପ୍ରବଳ ସଂଘର୍ଷ, ଲୁହ ବୁହା ଗ୍ୟାସ୍ ସେଲିଂ ଏବଂ ଲାଠିଚାର୍ଜ ହୋଇଥିଲା। ୨୦୨୬ NEET-UG ଏବଂ CBSE ପରୀକ୍ଷାରେ ବ୍ୟାପକ ଅନିୟମିତତା ଏବଂ ପେପର୍ ଲିକ୍ ପ୍ରତିବାଦରେ ଯୁବ ନେତୃତ୍ୱାଧୀନ ବ୍ୟଙ୍ଗାତ୍ମକ ରାଜନୈତିକ ଆନ୍ଦୋଳନ ଦ୍ୱାରା ଏହି ପ୍ରଦର୍ଶନ ଆୟୋଜନ କରାଯାଇଥିଲା। ସେମାନଙ୍କର ମୁଖ୍ୟ ଦାବି ଥିଲା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା। 

ଏହି ପୃଷ୍ଠଭୂମିରେ, ଏକ ଟ୍ରେନ ଉପରେ ପଥର ଫିଙ୍ଗାଳି ହେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଏଥିରେ CJP ପ୍ରତିବାଦକାରୀମାନେ ଦିଲ୍ଲୀର ଏକ ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ‘ହାଇଡ୍ରୋଜେନ୍ ଟ୍ରେନ୍’ ଉପରେ ପଥର ଫିଙ୍ଗୁଥିବା ଦେଖାଯାଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକର ବୋଲି ଜାଣିବାକୁ ପାଇଲା। ଏହି ଘଟଣା ବିହାର, ପାଟନାର ପାଟଳିପୁତ୍ର ରେଳ ଷ୍ଟେସନ୍ ର ଅଟେ ଯାହାର ସିଜେପି ପ୍ରତିବାଦ ସହିତ କୌଣସି ସମ୍ପର୍କ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ ଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ଆମ ଦେଶର ଏହି #ପ୍ରଥମ ହାଇଡ୍ରୋଜେନ୍ ଚାଳିତ ରେଳଗାଡ଼ି ବିଶ୍ୱର ସବୁଠାରୁ ଶକ୍ତିଶାଳୀ #ହାଇଡ୍ରୋଜେନ୍_ଟ୍ରେନ ର ମାନ୍ୟତା ପାଇଥିଲା । ଆଜି ଛାତ୍ର ଆନ୍ଦୋଳନ ନାମରେ ଆତଙ୍କୀମାନେ ଦିଲ୍ଲୀ ଷ୍ଟେସନରେ ଛିଡ଼ା ହୋଇଥିବା ସେହି ଟ୍ରେନ୍ ଉପରେ ପଥର ମାଡ଼ କରିବା ସହିତ ଟ୍ରେନରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏମାନେ ଛାତ୍ର ନୁହଁନ୍ତି, ଦେଶବିରୋଧୀ ରାଜନୈତିକ ଦଳ ଗୁଡ଼ିକ ଦ୍ୱାରା ପରିଚାଳିତ ସହରୀ ନକ୍ସଲୀ ଓ ପଥରବାଜୀ ଗ୍ୟାଙ୍ଗର ଆତଙ୍କୀ ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୪ ଜୁନ୍ ୨୦୨୬ ରେ ରିପବ୍ଲିକ୍ ମିଡିଆ ଆଉଟଲେଟ୍ ଦ୍ୱାରା ଅପଲୋଡ୍ କରାଯାଇଥିବା ସମାନ ଭିଡିଓଗୁଡ଼ିକର ଏକ ସଂଗ୍ରହ ମିଳିଲା।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ଏହି ଘଟଣା ସମ୍ପର୍କରେ ଅନେକ ଗଣମାଧ୍ୟମ ରିପୋର୍ଟ ମିଳିଲା। ରିପୋର୍ଟ ଅନୁସାରେ, “ବିହାରର ପାଟଳୀପୁତ୍ର ରେଳ ଷ୍ଟେସନରେ ୧୩ ଜୁନ୍ ୨୦୨୬ ରେ ଏକ ବଡ଼ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା ଯେତେବେଳେ ରାଜ୍ୟ ପୋଲିସ ନିଯୁକ୍ତି ପରୀକ୍ଷାରେ ଶହ ଶହ ପ୍ରାର୍ଥୀ ପରିବହନ ବ୍ୟବସ୍ଥାର ତ୍ରୁଟିପୂର୍ଣ୍ଣ ପରିଚାଳନା ଏବଂ ଟ୍ରେନର ଅଭାବକୁ ନେଇ ପ୍ରତିବାଦ କରିଥିଲେ।” ପରିସ୍ଥିତି ଖୁବ୍ ଶୀଘ୍ର ଖରାପ ହୋଇଥିଲା, ଏକ ପରୀକ୍ଷା ସ୍ୱତନ୍ତ୍ର ଟ୍ରେନକୁ ଟାର୍ଗେଟ କରି ଭଙ୍ଗାରୁଜା କରାଯାଇଥିବା ରିପୋର୍ଟ ଆସିବାରୁ ପୋଲିସକୁ ଲୁହ ବୁହା ଗ୍ୟାସ ଏବଂ ଲାଠିଚାର୍ଜ କରିଥିଲା।

ପ୍ରତିବାଦ ସମୟରେ, କିଛି ପ୍ରଦର୍ଶନକାରୀ ରେଳ ଟ୍ରାକ ଅବରୋଧ କରିଥିଲେ, ରେଳ ସମ୍ପତ୍ତି ଭଙ୍ଗାରୁଜା କରିଥିଲେ ଏବଂ ଟ୍ରେନ ଉପରେ ପଥର ମାଡ଼ କରିଥିଲେ, ଯାହା ଫଳରେ ପୋଲିସ ଭିଡ଼କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ ଏବଂ ଲାଠିଚାର୍ଜ ବ୍ୟବହାର କରିଥିଲା। ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିଲେ ଏବଂ ଅନେକ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଥିଲା।

ଯେତେବେଳେ ଭିଡିଓଟି ୨୦ ଜୁଲାଇ ରେ CJP ପ୍ରତିବାଦ ସମ୍ପର୍କ ସହିତ ସେୟାର ହେବା ଆରମ୍ଭ ହେଲା, ସେତେବେଳେ ଉତ୍ତର ରେଲୱେର ସରକାରୀ X ହ୍ୟାଣ୍ଡେଲ ଏକ ସାର୍ବଜନୀନ ସ୍ପଷ୍ଟୀକରଣ ଜାରି କରି କହିଛି ଯେ ଭିଡିଓରେ ଥିବା ଟ୍ରେନଟି ହାଇଡ୍ରୋଜେନ୍ ଟ୍ରେନ ନୁହେଁ ବରଂ WAG-12 ଲୋକୋମୋଟିଭ୍ ଦ୍ୱାରା ଟଣାଯାଉଥିବା ଟ୍ରେନ ଥିଲା। ଏହା ଆହୁରି ସ୍ପଷ୍ଟ କରିଛି ଯେ ଭିଡିଓଟି ପୁରୁଣା ଏବଂ ନିଶ୍ଚିତ କରିଛି ଯେ ହାଇଡ୍ରୋଜେନ୍ ଟ୍ରେନଟି ଏହାର ନିର୍ଦ୍ଧାରିତ ସେବା ଅନୁଯାୟୀ ଚାଲୁଛି।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକର ଅଟେ। ଏହି ଘଟଣା ବିହାର, ପାଟନାର ପାଟଳିପୁତ୍ର ରେଳ ଷ୍ଟେସନ୍ ର ଅଟେ ଯାହାର ସିଜେପି ପ୍ରତିବାଦ ସହିତ କୌଣସି ସମ୍ପର୍କ ନାହିଁ। 

Result Stamp

Title: ବିହାରର ପୁରୁଣା ଭିଡିଓକୁ ଦିଲ୍ଲୀରେ ସିଜେପି ପ୍ରଦର୍ଶଙ୍କାରି ମାନେ ହାଇଡ୍ରୋଜେନ୍ ଟ୍ରେନ୍ ଉପରେ ପଥର ଫିଙ୍ଗୁଥିବା ଦାବି ସହିତ ସେୟାର କରାଯାଇଛି।

Fact Check By: Siddharth Sahu

Result: Misleading

Leave a Reply

Your email address will not be published. Required fields are marked *