
NEET ଏବଂ CBSE ପରୀକ୍ଷାରେ ଅନିୟମିତତା ଅଭିଯୋଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି କର୍ମୀ ସୋନମ ୱାଙ୍ଗଚୁକ୍ ଜୁନ୍ 28, 2026 ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି। ଏହି ପ୍ରସଙ୍ଗରେ ଏକ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଶୁଣିବାକୁ ମିଳିଛି ଯେ ସୋନମ ୱାଙ୍ଗଚୁକ୍ କହୁଛନ୍ତି ସେ ଭାରତ ଆକ୍ରମଣ କରିବାକୁ ଚୀନକୁ ସାହାଯ୍ୟ କରିବେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଡାବକୁ ବିଭ୍ରାନ୍ତକର ବୋଲି ଜାଣିବାକୁ ପାଇଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୨ ମାର୍ଚ୍ଚ ୨୦୨୪ ରେ ୟୁଟ୍ୟୁବରେ ଏକ ଭିଡିଓ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓର ୧.୩୭ ମିନିଟ ସମୟରୁ ସୋନମ ୱାଙ୍ଗଚୁକ କହୁଛନ୍ତି, “ଏଠାରେ ଜଣେ ପ୍ରସିଦ୍ଧ ହାସ୍ୟାଭିନେତା ଅଛନ୍ତି ଯିଏ କୁହନ୍ତି, ‘ଯେତେବେଳେ ଚୀନ୍ ପ୍ରବେଶ କରେ, ଲଦାଖର ଲୋକମାନେ ସେମାନଙ୍କୁ ରୋକିବା ପାଇଁ ନିଜ ଜୀବନକୁ ବାଜି ଲଗାନ୍ତି। କିନ୍ତୁ ଏବେ, ଯଦି ଭାରତ ସରକାର ଲଦାଖର ଲୋକଙ୍କ ପାଇଁ କିଛି କରୁନାହିଁ, ତେବେ ପରବର୍ତ୍ତୀ ସମୟରେ ଯଦି ଚୀନ୍ ଲଦାଖ ଦେଇ ଭାରତ ଉପରେ ଆକ୍ରମଣ କରେ, ତେବେ ଆମେ ସେମାନଙ୍କୁ ରାସ୍ତା ଦେଖାଇବୁ; ଆମେ ସେମାନଙ୍କୁ ଅଟକାଇବୁ ନାହିଁ। ଯେତେବେଳେ ଆମକୁ ସୁରକ୍ଷା ଦିଆଯାଉନାହିଁ, ଆମେ କାହିଁକି ଆମର ଜୀବନ ଦେବୁ? ତା’ପରେ ପୋଲିସ ହାସ୍ୟାଭିନେତାଙ୍କୁ ପଚରାଉଚରା କରିବା ଆରମ୍ଭ କଲା।”
ଆହୁରି ମଧ୍ୟ, ସେ କହିଛନ୍ତି, “ଦୂତଙ୍କୁ ହତ୍ୟା କରନାହିଁ, ସମସ୍ୟାର ସମାଧାନ କର। ଲୋକମାନେ ସେମାନଙ୍କର ହତାଶା ପ୍ରକାଶ କରୁଛନ୍ତି। ଯଦି ଆପଣ ସମସ୍ୟାର ସମାଧାନ କରିପାରିବେ ତେବେ ଭଲ ହେବ। ସରକାର ଏସବୁ କଥାକୁ ବହୁତ ଗମ୍ଭୀରତାର ସହ ନେବା ଉଚିତ”
ଅଧିକ ସର୍ଚ୍ଚ କରିବା ପରେ ଆମକୁ ୧୨ ମାର୍ଚ୍ଚ ୨୦୨୪ ରେ ସୋନମ ୱାଙ୍ଗଚୁକଙ୍କ ଅଫିସିଆଲ୍ ଫେସବୁକ୍ ପେଜରେ ସମାନ ଭିଡିଓ ମିଳିଲା। ଭିଡିଓର କ୍ୟାପସନରେ ଲେଖାଥିଲା, “ସପ୍ତମ ଦିନର ଶେଷ ସକାଳରେ ପ୍ରବଳ ତୁଷାରପାତ ହୋଇଥିଲା କିନ୍ତୁ ସୂର୍ଯ୍ୟ ଶୀଘ୍ର ଏହାକୁ ତରଳି ଦେଲା। ଏହି ଛୋଟ ସହରରେ ଆଜି ପ୍ରାୟ ୫୦୦ ଲୋକ ଏକ ସପ୍ତାହର ଦିନରେ ମଧ୍ୟ ଏକାଠି ହୋଇଥିଲେ। ଅନେକ ବିଶ୍ୱବିଦ୍ୟାଳୟ ଛାତ୍ର, ବାର ଆସୋସିଏସନର ସମସ୍ତ ଓକିଲ, ସନ୍ୟାସୀ, ନନ୍, ଅବସରପ୍ରାପ୍ତ ସୈନିକ ଯୋଗ ଦେଇଥିଲେ। ଏହି ସମ୍ବେଦନଶୀଳ ସୀମାନ୍ତ ଅଞ୍ଚଳର ଲୋକମାନଙ୍କୁ ଆହୁରି ଦୂରେଇ ରଖିବା ପରିବର୍ତ୍ତେ ସେମାନେ ସମୟୋଚିତ ପଦକ୍ଷେପ ନେବା ଭଲ। ଆମର ପଡ଼ୋଶୀମାନେ ଆଲୋଚନା ଏବଂ ସମ୍ପର୍କ ଭାଙ୍ଗିବା ଦେଖି ବହୁତ ଖୁସି ହେବେ।”
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକର ଅଟେ। ସୋନମ ୱାଙ୍ଗଚୁକ ଏହା କହି ନଥିଲେ ଯେ ସେ ଚୀନକୁ ରାସ୍ତା ଦେଖାଇ ଭାରତ ଆକ୍ରମଣ କରିବାରେ ସାହାଯ୍ୟ କରିବେ। ସେ ମୂଳ ଭିଡିଓରେ ଜଣେ ହାସ୍ୟ ଅଭିନେତାଙ୍କୁ ଉଦ୍ଧୃତି ଦେଇ କହିଥିଲେ ଯେ ଲୋକମାନେ ସେମାନଙ୍କର ହତାଶା ପ୍ରକାଶ କରୁଛନ୍ତି।

