
ଚୀନରେ ଲୋକ ମାନେ ଦେଶରେ ନୂତନ କୋଭିଡ ନିୟମାବଳୀ ବିରୁଦ୍ଧରେ ରାସ୍ତାରେ ବିରୋଧ କରୁଥିବା ଖବର ସାମନାକୁ ଆସିଛି। ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଅନେକ ଲୋକେ ରାସ୍ତାରେ ବିରୋଧ କରୁଥିବା ବେଳେ ଗୋଟିଏ ପୋଲିସ କାର ତାଙ୍କ ଉପରେ ଚଢି ଯାଉଛି।
ଦାବି କରା ଯାଉଛି ଯେ ଏହି ଭିଡିଓ ଚୀନର ଅଟେ। ଚୀନ ସରକାର ବିରୋଧ କରୁଥିବା ଲୋକଙ୍କ ସହ ଏପରି ପ୍ରତିକ୍ରିୟା ରଖୁଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ଚୀନର ନୁହେଁ, ବରଂ ଆମେରିକାର ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଚୀନରେ ଚାଲୁଥିବା ଛାତ୍ର ଆନ୍ଦୋଳନ ଓ ସେହି ଆନ୍ଦୋଳନକୁ ପ୍ରତିହତ କରିବାକୁ ଚିନ ସରକାରଙ୍କର ଦମନ ଲୀଳା କରୁଛି।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ଏହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଗତ ବର୍ଷ ୨୦୨୧ ମସିହାରେ ଗୋଟିଏ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓ ସହିତ ସୂଚନା ଦିଆ ଯାଇଛି ଯେ ଆମେରିକାରେ ଲୋକେ ବିରୋଧ କରୁଥିବା ସମୟରେ ଏକ ପୋଲିସ କାର ତାଙ୍କ ଉପରେ ଚଢି ଯାଇଥିଲା। ପୋଲିସ ଦାବି ଅନୁଯାୟୀ ବିରୋଧ ପ୍ରଦର୍ଶନ କରୁଥିବା ଲୋକେ ପୋଲିସ କାର ଉପରେ ଆକ୍ରମଣ କରିଥିଲେ।
ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ଭିଡିଓର ସମ୍ପ୍ରତ୍ତି ସମୟରେ ଚୀନରେ ଚାଲୁଥିବା ବିରୋଧ ସହିତ କୌଣସି ସମ୍ବନ୍ଧ ନାହିଁ।
ତେବେ ଏହି ଭିଡିଓ ପ୍ରକୃତରେ କେଉଁଠିକାର?
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ଏବିସି ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ଏହି ଘଟଣା ବିଷୟରେ ସୂଚନା ମିଳିଲା। ୨୫ ଜାନୁଆରୀ ୨୦୨୧ ର ଏବିସି ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଆମେରିକାର ୱାଶିଂଟନ୍ ସହରର ଟାକୋମା ଆଞ୍ଚଲରେ ଘଟିଥିଲା। ଲୋକେ ପୋଲିସ ଗାଡିକୁ ଘେରି ରଖିଥିବା ସମୟରେ ପୋଲିସ ଉପସ୍ଥିତ ଲୋକଙ୍କ ଉପରେ କାର ଚଡଉ କରିଥିଲା ଯେଉଁଥିରେ କିଛି ଲୋକେ ଆଘାତ ହୋଇଥିଲେ।
ଲୋକେ ରାସ୍ତାରେ ଷ୍ଟ୍ରିଟ୍ ଶୋ କରୁଥିବା ବେଳେ ପୋଲିସ ସେଠାରୁ ତାଙ୍କୁ ହଟାଇବାର ଉଦ୍ଦ୍ୟୟମ କରୁଥିଲା। ପୋଲିସ ସେଠାରେ ଆସିଲା ପରେ ଲୋକେ ପୋଲିସ ଗାଡିକୁ ଘେରି ଥିଲେ ଏବଂ ପୋଲିସ କାର ଝରକା ଭଙ୍ଗାରୁଜା କରିବାର ଚେଷ୍ଟା କରିଥିଲେ। ପୋଲିସ ନିଜ ଜୀବନ ରକ୍ଷା କରିବା ପାଇଁ ସେଠାରୁ ବାହାରି ଯିବା ଚେଷ୍ଟା କରିଥିବା ସମୟରେ କିଛି ଲୋକେ ଗାଡି ତଳେ ଆସି ଯାଇଥିଲେ।
ଦି ଗାର୍ଡିଆନ ରିପୋର୍ଟ ଅନୁଯାୟୀ, ଟାକୋମାରେ କାର ରେସିଙ୍ଗ କରୁଥିବା ସମୟରେ ଏଇ ଘଟଣା ଘଟିଥିଲା। ଫାନ୍ ନାମକ ପୋଲିସ ଅଧିକାରୀ କାର ରେସିଙ୍ଗ ସ୍ଥାନକୁ ପହଞ୍ଚିଥିଲେ ଯେଉଁଠି ଲୋକେ ତାଙ୍କ ଗାଡିକୁ ଘେରି ଥିଲେ। କିଛି ସମୟ ପରେ ଲୋକେ ଗାଡି ଉପରେ ଆକ୍ରମଣ କରିଥିଲେ। ଫାନ୍ ସେଠାରୁ ନିଜ ଜୀବନ ବଞ୍ଚାଇବା ପାଇଁ ଗାଡି ଆଗକୁ ନେଇଥିବା ସମୟରେ କିଛି ଲୋକେ ଆଘାତ ହୋଇଥିଲେ। ସେ ନିଜ ଗାଡି ଅଟକାଇ ସ୍ୱାସ୍ଥ୍ୟକର୍ମୀଙ୍କୁ ଘଟଣା ବିଷୟରେ ସୂଚିତ ମଧ୍ୟ କରିଥିଲେ।
ଘଟଣାରେ ଆଘାତ ହୋଇଥିବା ଲୋକର ଜୀବନ ପ୍ରତି କୌଣସି ବିପଦ ନାହିଁ। ଏହି ଦୁର୍ଘଟଣା ପରେ ଲୋକେ ଘଟଣା ସ୍ଥଳରେ ବଡ଼ ଧରଣର ନିଆଁ ଲଗାଇଥିଲେ, ବିଲ୍ଡିଂକୁ ନଷ୍ଟ କରିଥିଲେ ଏବଂ ସେହି ଛକ ନିକଟରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ବିରୋଧ ସମୟରେ ଲୋକଙ୍କର କିମ୍ବା ପୋଲିସର ଆଘାତ ହୋଇଥିବା କୌଣସି ଖବର ଆସି ନାହିଁ।

ଦି ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ କରିଛି ଯେ ଚୀନ ନିଜ ଦେଶରେ କୋଭିଡର ନୂତନ ନିୟମାବଳୀ ପ୍ରସ୍ତୁତ କରିଛି ଯେଉଁଥିରେ ସେ ପୁନଃ ଲକଡାଉନ ଘୋଷଣା କରିଛି। ଏହା ନେଇ ସ୍ଥାନୀୟ ଲୋକେ ରାସ୍ତାରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ବିରୋଧ ପ୍ରଦର୍ଶନରେ ଲୋକେ କୋଭିଡ ନିୟମାବଳୀକୁ ହଟାଇବାର ମାଙ୍ଗ୍ କରୁଛନ୍ତି ଏବଂ ରାଷ୍ଟ୍ରପତି ଜିଂପିଙ୍ଗକୁ ପଦ ଛାଡିବାର ଦାବି କରୁଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଆମେରିକାର ଟାକୋମାରେ ଘଟିଥିବା ଏକ ପୁରୁଣା ଘଟଣାର ଭିଡିଓକୁ ସମ୍ପ୍ରତ୍ତି ସମୟରେ ଚୀନରେ କୋଭିଡ ନିୟମାବଳୀ ବିରୁଦ୍ଧରେ ହେଉଥିବା ବିରୋଧ ସମୟର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ଚୀନରେ ନୂତନ କୋଭିଡ ନିୟମାବଳୀ ବିରୁଦ୍ଧରେ ପ୍ରଦର୍ଶନ କରୁଥିବା ସମୟରେ ଗୋଟିଏ ପୋଲିସ ଗାଡି ଲୋକଙ୍କ ଉପରେ ଚଢଉ କରିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
