
ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରକୁ ସଂଯୋଗ କରୁଥିବା ଏକ ଫୋଟୋ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ଆପଣ ପ୍ରଧାନମନ୍ତ୍ରୀ ମୋଦୀ ଟେବୁଲରେ ବସି କିଛି ଲୋକଙ୍କ ସହ ଖାଦ୍ୟ ଖାଉଥିବାର ଦେଖିପାରିବେ। ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ସହିତ ଖାଦ୍ୟ ଖାଉଛନ୍ତି ବୋଲି ଦାବି କରାଯାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଏହା ଏକ ପୁରୁଣା ଫୋଟୋ ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ କାଶୀ ବିଶ୍ଵନାଥ କୋରିଡର ନିର୍ମାଣ କାର୍ଯ୍ୟ ଶ୍ରମିକଙ୍କ ସହିତ ଖାଦଧୀ ଖାଉଛନ୍ତି।
କ’ଣ ଦାବି କରା ଯାଇଛି ପୋଷ୍ଟ’ରେ?
ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଗୋଟେ ରାଜା ତାଜମହଲ ବାନେଇଥିବ କାରିଗର ମାନଙ୍କର ହାତ କାଟି ଦେଇଥିଲା କିନ୍ତୁ ଆଉ ଗୋଟେ ରାଜା ଶ୍ରୀ ରାମ ମନ୍ଦିର ବନେଇଥିବା କାରିଗର ମାନଙ୍କ ସହିତ ଭୋଜନ କରୁଛି। ଏହା ହିଁ ସତ୍ୟ ସନାତନ ଧର୍ମ ର ପରିଚୟ।“

ଆମ ଅନୁସନ୍ଧାନ:
ଭାଇରାଲ ଫୋଟୋକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ସେଠାରେ ଥିବା ଗୋଟିଏ ବ୍ୟାନରରେ ‘କାଶୀ ବିଶ୍ଵନାଥ ଧାମ’ ଏବଂ ‘କାଶୀ ବିଶ୍ଵନାଥ ମନ୍ଦିର ନ୍ୟାସ୍ ବାରାନାଶୀ’ ବୋଲି ଲେଖା ଯାଇଛି।

ଉପରୋକ୍ତ ତଥ୍ୟକୁ ନଜରରେ ରଖି ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଏଏନଆଇ ଉତ୍ତରପ୍ରଦେଶ/ଉତ୍ତରାଖଣ୍ଡର ଟୁଇଟର ହେଣ୍ଡେଲରେ ୧୩ ଡିସେମ୍ବର ୨୦୨୧ ରେ ପୋଷ୍ଟ ହେଇଥିବା ମିଳିଲା। ଏଥିରେ ଦିଆ ଯାଇଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ କାଶୀ ବିଶ୍ଵନାଥ ଧାମ କୋରିଡରର ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ।
ଆମକୁ ସମାନ ଫୋଟୋ ୧୩ ଡିସେମ୍ବର ୨୦୨୧ ରେ ଇଣ୍ଡିଆ ଟୁଡେ ୱେବସାଇଟରେ ମଧ୍ୟ ପ୍ରକାଶିତ ହେଇଥିବା ମିଳିଲା।ଏହି ରିପୋର୍ଟରେ ମଧ୍ୟ କୁହା ଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ କାଶୀ ବିଶ୍ଵନାଥ ଧାମ କୋରିଡରର ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ସେହି ସମୟରେ ସେ ବିଶ୍ଵନାଥ କୋରିଡରର ଉଦ୍ଘାଟନ କରିବା ପାଇଁ ବାରାନାଶୀ ଯାଇଥିଲେ। ସେ ବିଶ୍ୱନାଥ ମନ୍ଦିର ପରିଦର୍ଶନ କରି ମେଗା ପ୍ରକଳ୍ପ ଉନ୍ମୋଚନ କରିବା ପୂର୍ବରୁ ଲଲିତା ଘାଟରେ ଥିବା ଗଙ୍ଗାରେ ବୁଡ଼ ପକାଇଥିଲେ।

ନିମ୍ନରେ ଲାଇଭ୍ ହିନ୍ଦୁସ୍ଥାନର ୟୁଟ୍ୟୁବ ଚ୍ୟାନାଲରେ ଆପଣ ମାନେ ପ୍ରଧାନମନ୍ତ୍ରୀଙ୍କୁ ଶ୍ରମିକଙ୍କ ସହ ଖାଦଧୀ ଖାଉଥିବାର ଭିଡିଓ ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ରାମ ମନ୍ଦିର ନିର୍ମାଣ କରୁଥିବା ଶ୍ରମିକଙ୍କ ସହ ମଧ୍ୟାହ୍ନ ଭୋଜନ କରୁ ନାହାଁନ୍ତି। ଏହା ୨୦୨୧ ମସିହାର ଫୋଟୋ ଅଟେ ଏବଂ ପ୍ରଧାନମନ୍ତ୍ରୀ ମୋଦୀ କାଶୀ ବିଶ୍ଵନାଥ କୋରିଡରର ନିର୍ମାଣ କାର୍ଯ୍ୟରେ ଲାଗିଥିବା ଶ୍ରମିକଙ୍କ ସହିତ ଭୋଜନ କରୁଛନ୍ତି।

Title:କ’ଣ ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ରାମ ମନ୍ଦିର କାରିଗରଙ୍କ ସହିତ ଖାଦ୍ୟ ଖାଉଛନ୍ତି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading
