
୨୦୨୪ ଲୋକସଭା ନିର୍ବାଚନ ସମୟରେ ବିଜେଡ଼ି ଦଳ ରେଲି କରିଥିବା ଖବର ସାମନାକୁ ଆସିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବା କୁ ମିଳିଛି ଯେ ରାସ୍ତାରେ ଅନେକ ଲୋକ ବିଜେଡ଼ି ପତାକା ଧରି ଚିଡ଼ା ହୋଇଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବସ୍ ରେ ସିଗାରେଟ୍ ପିଉଛନ୍ତି।
ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହି ଭିଡିଓରେ ପ୍ରତିକ୍ରିୟା ଦେଇ ନବୀନ ପଟ୍ଟନାୟକଙ୍କର ନିନ୍ଦା କରୁଛନ୍ତି। ଜଣେ ଲେଖିଛନ୍ତି, “ସମ୍ମାନନୀୟ ନବୀନ ବାବୁ ସିଗାରେଟ୍ ଟାଣୁଛନ୍ତି ଏତେ କଷ୍ଟରେ କାହିଁକି ନା ତାଙ୍କ ହାତ ଥରୁଛି। ସାଧାରଣ ରେ ପ୍ରଶ୍ନ ଉଠୁଛି ଦୈନିକ ହଜାର ହଜାର ଫାଇଲ ରେ ଦସ୍ତଖତ୍ କିଏ କରୁଥିଲା“
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅସଲି ଭିଡିଓରେ ନବୀନ ପଟ୍ଟନାୟକ ସିଗାରେଟ ପିଉନାହାଁନ୍ତି। ଭିଡିଓକୁ ଏଡିଟ୍ କରି ତାଙ୍କ ହାତରେ ସିଗାରେଟ ଯୋଡା ଯାଇଛି।
ଆମ ଅନୁସନ୍ଧାନ:
ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ ୨୦ ଏପ୍ରିଲ୍ ୨୦୧୯ ମସିହାରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ଭିଡିଓ ୫ ବର୍ଷ ପୁରୁଣା ଅଟେ ଏବଂ ଏହାର ୨୦୨୪ ଲୋକସଭା ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ।
କ’ଣ ନବୀନ ପଟ୍ଟନାୟକ ପ୍ରକୃତରେ ଏହି ଭିଡିଓରେ ସିଗାରେଟ୍ ପିଉଛନ୍ତି?
ଅଧିକ ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ ଏକ ୟୁଟ୍ୟୁବ ଚ୍ୟାନାଲରେ ୨୦୧୯ ମସିହାରେ ଅପ୍ଲୋଡ ହେଇଥିବା ମିଳିଲା। ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଗାରେଟ ପିଉଥିବା ଦେଖିବାକୁ ମିଳି ନାହିଁ। ଭାଇରାଲ ଭିଡିଓ ପରି ନବୀନ ପଟ୍ଟନାୟାକ ନିଜ ମୂହ ନିକଟକୁ ହାତ ନେଇଥିଲେ କିନ୍ତୁ ତାଙ୍କ ହାତର ସିଗାରେଟ ନଥିଲା।
ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓରୁ ନିଆ ଯାଇଥିବା ସ୍କ୍ରିନଶଟ୍ ଏବଂ ଅସଲି ଭିଡିଓର ସ୍କ୍ରିନଶଟ୍ ମଧ୍ୟରେ ତୁଳନା ଦେଖି ପାରିବେ।

ଏହି ଭିଡିଓ ନେଇ ଆମକୁ ଓମକମ୍ ନ୍ୟୁଜ୍ ୱେବସାଇଟରେ ସୂଚନା ମିଳିଲା। ୨୦୧୯ ମସିହାର ଏହି ରିପୋର୍ଟ ଅନୁଯାୟୀ, ଏହା ୨୦୧୯ ମସିହାରେ ନିର୍ବାଚନ ନିକଟ ସମୟର ଭିଡିଓ ଅଟେ ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସ୍ଥାନରେ ରେଲି କରୁଥିଲେ। ବିଜେଡ଼ି ଦଳ ଦାବି କରିଛି ଯେ ନବୀନ ପଟନାୟକଙ୍କୁ ବଦନାମ କରିବା ପାଇଁ ବିପକ୍ଷ ଦଳ ତାଙ୍କର ଏକ ଫେକ୍ ଭିଡିଓ ବିସ୍ତାର କରୁଛି। ସାରା ଦିନ ରେଲି କରିବା ପରେ ମୁଖ୍ୟମନ୍ତ୍ରୀ ଫେରୁଥିବା ସମୟରେ ଏହି ଭିଡିଓ ନିଆ ଯାଇଥିଲା। ସେହି ସମୟରେ ସେ ଅତ୍ଯାଧିକ ଥକି ଯାଇଥିବାରୁ ହାଇ ମାରିବା ପାଇଁ ନିଜ ହାତ ମୂହ ନିକଟକୁ ନେଇଥିଲେ। ସେ ସିଗାରେଟ ପିଉନଥିଲେ।

ସମାନ ଭିଡିଓ ଆମକୁ ସାଂସଦ ଅନୁଭବ ମୋହାନ୍ତିଙ୍କ ଫେସବୁକ ଏକାଉଣ୍ଟରେ ମଧ୍ୟ ୨୦୧୯ ମସିହାରେ ପୋଷ୍ଟ ହେଇଥିବା ମିଳିଲା। ନିଜ ପୋଷ୍ଟରେ ସେ ଲେଖିଛନ୍ତି, “ନିଜ ଫାଇଦା ପାଇଁ BJP Odisha କେତେ ତଳକୁ ଯାଇପାରେ ସେଟା ଲୋକେ ଠିକ ଜାଣନ୍ତି। ନିକଟରେ ମହିଳା ସାଂସଦ ପ୍ରାର୍ଥୀଙ୍କ ମିଛ ଭିଡିଓ ଭାଇରାଲ କରିବାର ପରିଣାମ ପାଇଛନ୍ତି। ପୁଣି ଏପରି କରୁଛନ୍ତି। ବିଜେପିର ଅସଲ ଚେହେରା ଜଣା ପଡିସାରିଲାଣି। ଏହାର ଜବାବ ଲୋକେ ନିଶ୍ଚୟ ଦେବେ। #ShameOnBJP”
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ ଏଡିଟ୍ କରି ନବୀନ ପଟ୍ଟନାୟକଙ୍କ ହାତରେ ସିଗାରେଟ ଯୋଡା ଯାଇଛି। ଅସଲି ଭିଡିଓରେ ନବୀନ ପଟ୍ଟନାୟକ ପିଉନଥିଲେ। ନିର୍ବାଚନ ରେଲି ହେତୁ ଅତ୍ଯାଧିକ ଥକି ଯାଇଥିବାରୁ ସେ ହାଇ ମାରିବା ପାଇଁ ମୂହ ନିକଟକୁ ହାତ ନେଇଥିଲେ।

Title:କ’ଣ ଏହି ଭିଡିଓ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବସ୍ ରେ ସିଗାରେଟ୍ ପିଉଛନ୍ତି? ଜାଣନ୍ତୁ ସତ୍ୟତା।
Fact Check By: Siddharth SahuResult: Altered
