
ସବୁଜ ରଙ୍ଗର ମସଜିଦ ଗମ୍ବୁଜ ଏବଂ ସୁବର୍ଣ୍ଣ ରଙ୍ଗର ପକ୍ଷୀମାନଙ୍କର ଡିଜାଇନ୍ ସହିତ ସଜାଯାଇଥିବା ଟ୍ରେନର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଟ୍ରେନ୍ ହାଇଦ୍ରାବାଦ ରୁ ପଶ୍ଚିମବଙ୍ଗ ଯିବାର ନିଶ୍ଚିତ ହେଇଥିବା ସମୟରେ ମୁସଲମାନ ମାନେ ତାକେ ଏପରି ସଜାଇଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ଭାଇରାଲ କରି ଏକ ସାମ୍ପ୍ରାଦାୟିକ ରୂପ ଦିଆ ଯାଇଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓରେ କୁହା ଯାଇଛି, “ଦେଖନ୍ତୁ ଭାଇ ମାନେ, ହାଇଦ୍ରାବାଦରୁ ପଶ୍ଚିମବଙ୍ଗ ଯାଉଥିବା ଏକ ଟ୍ରେନକୁ ଜିହାଦୀ ମୁସଲମାନ ମାନେ କେମିତି ମୁସ୍ଲିମ ଏକ୍ସପ୍ରେସ ଟ୍ରେନ୍ ବନେଇ ଦେଇଛନ୍ତି। ସେମାନଙ୍କୁ ଯେତେ ମନା କାଲେ ମଧ୍ୟ ସେମାନେ ମାନୁ ନାହାଁନ୍ତି। ଏବେ ଚିନ୍ତା କରନ୍ତୁ ଆଗାମୀ ୧୦ -୧୫ ବର୍ଷରେ ଆମ ଅବସ୍ଥା କଣ ହେବ। ଆମ ଭାଇଚାରା କୌଠି ରହିବ। ଏବେ ଏହି ମାନେ ସରକାରକୁ ମାନୁ ନାହାଁନ୍ତି କି ପ୍ରଶାସନକୁ ମାନୁ ନାହାଁନ୍ତି, ଏମାନଙ୍କୁ ଡର ଭୟ କିଛି ନାହିଁ।”
ସମାନ ଭିଡିଓ ଆମକୁ ଅଗଷ୍ଟ ମାସରେ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ସମାନ ଭିଡିଓ ୨୦୧୭ ମସିହାରୁ ଇଣ୍ଟର୍ନେଟ୍ ରେ ଉପଲବ୍ଧ ଅଛି। ଏହା ଏକ ବିଶେଷ ଟ୍ରେନ୍ ଯାହା ହାଇଦ୍ରାବାଦରୁ କର୍ଣ୍ଣାଟକର ୱାଡି ରେ ଅବସ୍ଥିତ ହଲକଟ୍ଟା ଶରୀଫ୍ ଦରଗାହ ଯିବା ପାଇଁ ପ୍ରସ୍ତୁତ କରା ଯାଇଥିଲା।
ଏହାକୁ ନଜରରେ ରଖି ଆମେ ପରବର୍ତ୍ତୀ ଅନୁସନ୍ଧାନ କରିଲୁ ଯାହା ଦ୍ଵାରା ଆମେ ଜାଣିବାକୁ ପାଇଲୁ ଯେ ହଲକଟ୍ଟା ଶରୀଫ୍, ସୟଦ ମହମ୍ମଦ ବାଦଶାହ କାଦ୍ରି-ଉଲ୍-ଚିସ୍ତି ୟେମେନି ରାଇଚୁରୀରଙ୍କ ଦର୍ଗାହଅଟେ। ଏହା ବାଦଶାହ କାଦ୍ରି ନାମରେ ମଧ୍ୟ ଜଣାଶୁଣା ଏବଂ ଏହା କର୍ଣ୍ଣାଟକର ଗୁଲବର୍ଗ ଜିଲ୍ଲା ୱାଡିରେ ଅବସ୍ଥିତ। ବାଦଶାହ କାଦ୍ରି ଶାନ୍ତି ଏବଂ ସର୍ବଭାରତୀୟ ଭ୍ରାତୃତ୍ୱ ପ୍ରଚାର କରିଥିଲେ। ଲୋକମାନେ ପ୍ରତିବର୍ଷ ବାଦଶାହ କାଦ୍ରିଙ୍କ ମୃତ୍ୟୁ ବାର୍ଷିକୀ ପାଇଁ ହଲକଟ୍ଟା ଶରୀଫ୍ ଯାତ୍ରା କରନ୍ତି।
ଆମେ ଗୁଲବର୍ଗା ଟାଇମ୍ସ ଦ୍ଵାରା ୨ ଅଗଷ୍ଟ ୨୦୨୩ ରେ ୟୁଟ୍ୟୁବରେ ପୋଷ୍ଟ ହୋଇଥିବା ଏକ ଭିଡିଓ ପାଇଲୁ। ଏହି ଭିଡିଓରେ ଏକ ଟ୍ରେନ୍ ଅଛି ଯାହା ଭାଇରାଲ୍ ଭିଡିଓରେ ଥିବା ଟ୍ରେନ୍ ପରି ଦେଖାଯାଉଛି।
୨ ଅଗଷ୍ଟ ୨୦୨୩ ରେ ଆମେ ୟୁଟ୍ୟୁବର ଅନ୍ୟ ଗୋଟିଏ ଭିଡିଓ ପାଇଲୁ ଯେଉଁଥିରେ ସମାନ ଟ୍ରେନ୍ ନମ୍ବର, ସବୁଜ ରଙ୍ଗର ମସଜିଦ ଗମ୍ବୁଜ ଏବଂ ସୁବର୍ଣ୍ଣ ରଙ୍ଗର ପକ୍ଷୀମାନଙ୍କର ଡିଜାଇନ୍ ଥିବା ଦେଖିବାକୁ ପାଇଲୁ।

ହାଇଦ୍ରାବାଦ ରୁ ଏହି ଦରଗାହ ଯାଇ ପରିଦର୍ଶନ କରୁଥିବା ତୀର୍ଥଯାତ୍ରୀମାନଙ୍କ ପାଇଁ ଦକ୍ଷିଣ କେନ୍ଦ୍ରୀୟ ରେଳବାଇ (SCR) ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରିଥିଲା। ଏହି ଟ୍ରେନ୍ ଗୁଡିକରେ ପ୍ରତିବର୍ଷ ବିଶେଷ ସାଜସଜ୍ଜା ହୋଇଥାଏ।
ଆମେ ୨୭ ଜୁଲାଇ ୨୦୨୩ ର ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ସରକାରୀ ବିଜ୍ଞପ୍ତି ପାଇଲୁ। ଅତିରିକ୍ତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଅଗଷ୍ଟ ୧ ଏବଂ ଅଗଷ୍ଟ ୨ ରେ ହାଇଦ୍ରାବାଦରୁ ୱାଡି ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନଙ୍କ ପାଇଁ ଚାରିଟି ସଂରକ୍ଷିତ ବିଶେଷ ଟ୍ରେନ୍ ବ୍ୟବସ୍ଥା କରାଯାଇଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ସୋସିଆଲ ମିଡିଆରେ ଭାଇରାଲ କରା ଯାଉଛି। ଅଗଷ୍ଟ ମାସରେ ହାଇଦ୍ରାବାଦରୁ କର୍ଣ୍ଣାଟକ ତୀର୍ଥ ପାଇଁ ଯାଉଥିବା ମୁସ୍ଲିମ ଯାତ୍ରୀଙ୍କ ପାଇଁ ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ଦ୍ଵାରା ୪ ଟି ଟ୍ରେନ୍ ଯୋଗା ଯାଇଥିଲା। ଭାଇରାଲ ଦାବି ଭ୍ରମାତ୍ମକ ଅଟେ।

Title:ମୁସଲମାନ ମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଗୋଟିଏ ବିଶେଷ ଟ୍ରେନର ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ଭାଇରାଲ କରା ଯାଉଛି।
Written By: Siddharth SahuResult: Missing Context
